ଝାରସୁଗୁଡାରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ: ଭାରତ ଯୋଡ ନ୍ୟାୟ ଯାତ୍ରାରେ କହିଲେ, ଓବିସି ନୁହନ୍ତି ନରେନ୍ଦ୍ର ମୋଦୀ, ସାଧାରଣ ବର୍ଗରେ ହୋଇଛନ୍ତି ଜନ୍ମ

55

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତି କଣ । ମୋଦୀ ନିଜକୁ ଓବିସି ବୋଲି କହୁଥିବା ବେଳେ ଏହାକୁ ଗ୍ରହଣ କରିବାରୁ ନାରାଜ ରାହୁଲ ଗାନ୍ଧୀ । ନିଜ ଯୁକ୍ତିକୁ ବଳ ଦେବା ପାଇଁ ମୋଦୀ କେବେ ଚାଷୀ ଏବଂ ଓବିସିଙ୍କୁ ଭେଟି ନଥିବା ଅଭିଯୋଗ କରିଛନ୍ତି । ଏପରି କି ସେ କୋଟିପତିଙ୍କ ସହ ରୁହନ୍ତି ବୋଲି କହିବାକୁ ପଛାଇ ନାହାନ୍ତି ରାହୁଲ । ହେଲେ ପ୍ରଧାନମନ୍ତ୍ରୀଙ୍କୁ ନେଇ ରାହୁଲଙ୍କ ଏଭଳି ଟିପ୍ପଣୀକୁ ନାପସନ୍ଦ କରିଛନ୍ତି ଉଭୟ ବିଜେପି ଓ ବିଜେଡି ।

ଓଡିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରା କରିବା ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସର ସବୁଠୁ ବଡ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ସାଧାରଣ ବର୍ଗରେ ଜନ୍ମ ହୋଇଥିବା ଜନସଭାକୁ ସମ୍ବୋଧନ କରି କହିଛନ୍ତି ରାହୁଲ । କଟାକ୍ଷ କରି ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ କୌଣସି ଓବିସି ଲୋକଙ୍କୁ ଭେଟନ୍ତି ନାହିଁ । କୌଣସି ଚାଷୀଙ୍କୁ ମଧ୍ୟ ଭେଟନ୍ତି ନାହିଁ । ତେବେ ରାହୁଲ ଗାନ୍ଧୀଙ୍କ ଏଭଳି ଟିପ୍ପଣୀକୁ ନାପସନ୍ଦ କରିଛନ୍ତି ବିଜେପି ଓ ବିଜେଡି ନେତା ।

ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ତୃତୀୟ ଦିନରେ, ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡରୁ ଆରମ୍ଭ କରିଥିଲେ ଯାତ୍ରା । ଏହି ସମୟରେ ଲୋକଙ୍କ ସହ ହାତ ମିଳାଇଥିଲେ । ଅଟୋଗ୍ରାଫ ଦେଇଥିଲେ । ଚକୋଲେଟ୍ ବାଂଟିଥିଲେ । ଜଣେ ଛାତ୍ରୀକୁ ଗାଡି ଉପରେ ବସାଇଥିଲେ । ଏପରିକି ଜିଲ୍ଳାପାଳ କାର୍ଯ୍ୟାଳୟରେ ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିବା ଯୁବକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ଦାବି ସମ୍ପର୍କରେ ପଚାରି ବୁଝିଥିଲେ ।

ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ ସାମିଲ ହୋଇଥିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, ପିସିସି ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ନେତା । ଆଉ ରାହୁଲଙ୍କ ଏହି ଗସ୍ତ ଦଳ ପାଇଁ ଆଗକୁ ସଞ୍ଜିବନି ହେବ ବୋଲି କହିଛନ୍ତି । ଓଡିଶା ପରେ ଛତିଶଗଡରେ ପହଁଚିଛି ରାହୁଲଙ୍କ ନ୍ୟାୟ ଯାତ୍ରା ।