ମା ଗଙ୍ଗାକୁ କନ୍ଦାଇଛନ୍ତି… ନା ନନେଇ ରାହୁଲଙ୍କ ଟାର୍ଗେଟ ।

201

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗଙ୍ଗା ନଦୀରେ ଶବ ଭାସିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ଯିଏ କହୁଥିଲା ଯେ ଗଙ୍ଗା ଡାକିଛନ୍ତି, ସେ ମାତା ଗଙ୍ଗାଙ୍କୁ କନ୍ଦାଇଛନ୍ତି ‘। ରାହୁଲ ମୋଦୀଙ୍କ ନାମ ନ ନେଇ ବି ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଏହି ଟୁଇଟ୍ ସହ ଏକ ଖବର ସେୟାର କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ ଗଙ୍ଗା କୂଳର ୧୧୪୦ କିଲୋମିଟର ଭିତରେ ୨ ହଜାରରୁ ଅଧିକ ମୃତଦେହ ମିଳିଛି। ଏହା ମଧ୍ୟ କୁହାଯାଇଛି ଯେ କାନପୁରର ଶେରେଶ୍ୱର ଘାଟରେ ଅଧା କିଲୋମିଟର ଅଞ୍ଚଳରେ ୪୦୦ ଟି ଶବ ପୋତି ଦିଆଯାଇଛି।

ଏହାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟ୍ୱିଟ୍ କରି କହିଥିଲେ ଯେ, “ବଲିଆ ଏବଂ ଗାଜୀପୁରରେ ଗଙ୍ଗା ନଦୀରେ ମୃତଦେହ ଭାସୁଛି। ଉନ୍ନାଓରେ ନଦୀ କୂଳରେ ବହୁ ଶବ ପୋତି ଦିଆଯାଇଥିବା ଖବର ମିଳିଛି। ଲଖନଉ, ଗୋରଖପୁର,ଝାନ୍ସୀ ଏବଂ କାନପୁରରେ ଯେତିକି ସରକାରୀ ସଂଖ୍ୟା କୁହାଯାଉଛି ତାହା ସଠିକ ନୁହେଁ’ ।

ପ୍ରକୃତରେ, ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଗଙ୍ଗା ନଦୀରେ ମୃତଦେହ ଭାସୁଥିବା ଦେଖାଯାଉଛି। ନିକଟରେ ଗଙ୍ଗା ନଦୀ ତଥା ବାରାଣାସୀର ଚାନ୍ଦଲି ଜିଲ୍ଲାରୁ ଆଂଶିକ ପୋଡିଯାଇଥିବା ଶବ ସମେତ ଆଉ ୭ଟି ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ଦିନ ବାରାଣାସୀର ସୁଜାବାଦ ଅଞ୍ଚଳ ଏବଂ ଚାନ୍ଦୁଲି ଜିଲ୍ଲାର ଧାନାପୁର ଅଞ୍ଚଳରେ ୬ଟି ମୃତଦେହ ମିଳିଛି। ୬ଟି ମୃତଦେହ ଏବଂ ଗୋଟିଏ ଆଂଶିକ ଜଳିଯାଇଥିବା ଶରୀରକୁ ଅଣାଯାଇ ଶବଦାହ କରାଯାଇଥିଲା। ଅନ୍ୟପଟେ ବିହାରର ଅଧିକାରୀମାନେ ଦାବି କରିଛନ୍ତି ଯେ ଉତ୍ତରପ୍ରଦେଶରୁ ୭୧ ମୃତଦେହ ରାଜ୍ୟକୁ ଭାସିଆସିଛି । ଏହା ପରେ କର୍ତ୍ତୃପକ୍ଷ ନଦୀରେ ଜାଲ ଲଗାଇଛନ୍ତି। ସେହିପରି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଟୁଇଟ୍ କରି କହିଛନ୍ତି, “ଗଙ୍ଗାରେ ଭାସୁଥିବା ଶବଗୁଡ଼ିକ କେବଳ ସଂଖ୍ୟା ନୁହେଁ, ସେମାନେ କାହାର ବାପା, ମା, ଭାଇ ଏବଂ ଭଉଣୀ। ସରକାରଙ୍କର ଉତ୍ତରଦାୟିତ୍ୱ ରହିବା ଉଚିତ୍’।