୧୩ ଘଣ୍ଟାରେ ରାହୁଲ ଚାଲିଲେ ୪୬, ୪୩୩ ପାଦ ! ଜାଣନ୍ତୁ କଂଗ୍ରେସ ଅଧ୍ୟକ୍ଷଙ୍କ ମାନସରୋବର ଯାତ୍ରାର ଭିତିରି କଥା ।

78

କଂଗ୍ରେସ ପକ୍ଷରୁ ଅଫିସିଆଲ ଟ୍ୱିଟର ପେଜରେ ଏକ ଫଟୋ ଜାରି କରାଯାଇଛି । ଆଉ ଏହି ଫଟୋର ମଝିରେ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବାମ ପଟରେ ସହଯାତ୍ରୀ ମିହିର ପଟେଲ ଏବଂ ଡାହାଣ ପଟରେ ଅଛନ୍ତି ଅନ୍ୟଜଣେ ସହଯାତ୍ରୀ କେନନ୍ ପଟେଲ । ରାହୁଲ ଗାନ୍ଧିଙ୍କ କୈଳାସ ମାନସରୋବର ଯାତ୍ରା ସମୟର ଏକ ଫଟୋ ଜାରି କରି ବିଜେପି ଉଠାଉଥିବା ପ୍ରଶ୍ନର ଉତ୍ତର ଦେଶବାସୀଙ୍କ ଆଗରେ ରଖିଛି କଂଗ୍ରେସ ।

ଜଣେ ଶ୍ରଦ୍ଧାଳୁ ଭାବେ ଶିବଙ୍କ ଦର୍ଶନରେ ବାହାରିଥିବା ରାହୁଲ ଗାନ୍ଧିଙ୍କ ଯାତ୍ରାକୁ ନେଇ ବଡଧରଣର ରାଜନୀତି ଆରମ୍ଭ ହୋଇଯାଇଛି । କାରଣ ରାହୁଲଙ୍କ ଗସ୍ତର ସତ୍ୟତା ନେଇ ପ୍ରଶ୍ନ ଉଠାଉଛି ବିଜେପି । ଆଉ ରାହୁଲଙ୍କ କୈଳାସ ଯାତ୍ରାର ପ୍ରମାଣ ଦେବା ପାଇଁ ତାଙ୍କ ଫଟୋ ସହ ଯାତ୍ରାର ତଥ୍ୟ ରଖିଛି କଂଗ୍ରେସ । ଦଳ ପକ୍ଷରୁ ଟ୍ୱିଟରରେ ଜାରି କରାଯାଇଥିବା ଫିଟବିଟ୍ ରେକର୍ଡ କହୁଛି, ରାହୁଲଙ୍କ ଯାତ୍ରାର ରେକର୍ଡ ।

ରାହୁଲଙ୍କ ଯାତ୍ରାର ରେକର୍ଡ

– ୩୪.୩୧ କିଲୋମିଟର ପାଦରେ ଚାଲି ଅତିକ୍ରମ କରିଛନ୍ତି

– ଗୋଟିଏ ଦିନରେ ୪୬, ୪୩୩ ପାଦ ଚାଲିଛନ୍ତି ରାହୁଲ

– ଏଥିପାଇଁ ତାଙ୍କୁ ୪୬୩ ମିନିଟ୍ ସମୟ ଲାଗିଥିଲା

– ଗେଟିଏ ଦିନରେ ୪୪୬୬ କ୍ୟାଲୋରି କମ୍ କରିଛନ୍ତି

ତେବେ କଥା ହେଉଛି ଗତ ଅଗଷ୍ଟ ୩୧ ତାରିଖରୁ କୈଳାସ ମାନସରୋବର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଯାତ୍ରା ଆରମ୍ଭ କରିବା ପରେ ବିଭିନ୍ନ ବେସ କ୍ୟାମ୍ପରୁ ଫଟୋସବୁ ଟ୍ୱିଟ୍ କରିଥିଲେ । ହେଲେ କୌଣସି ଫଟୋରେ ସେ ନିଜେ ନଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ଟ୍ୱିଟର ବ୍ୟବହାରକାରୀ । ଏପରିକି ଇଣ୍ଟରନେଟରୁ ଫଟୋ ଡାଉନଲୋଡ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା କମେଂଟ ମଧ୍ୟ କରାଗଲା । ବିଜେପି ଓ ଏହାର ସମର୍ଥକଙ୍କ ଦ୍ୱାରା ରାହୁଲଙ୍କ ଉପରେ ହେଲା ଜୋରଦାର ଆକ୍ରମଣ ।

ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ରାହୁଲ କରିଛନ୍ତି ଏକ ପୋଷ୍ଟ । ମାନସରୋବର ହ୍ରଦର ଦୁଇଟି ଫଟୋ ସହ କଂଗ୍ରେସ ଅଧ୍ୟକ୍ଷ ଲେଖିଛନ୍ତି ‘ମାନସରୋବର ହ୍ରଦର ପାଣି ଶାନ୍ତ, ସ୍ଥିର ଏବଂ କୋମଳ । ଏହି ହ୍ରଦର ପାଣି ସବୁକିଛି ଦେଇଦିଏ କିନ୍ତୁ କିଛି ନିଏ ନାହିଁ । ଏହାକୁ ଯେକେହି ଗ୍ରହଣ କରିପାରିବେ । ଏଠି କୌଣସି ଘୃଣା ନାହିଁ । ସେଥିପାଇଁ ଭାରତରେ ଏହି ପାଣିକୁ ପୂଜା କରାଯାଏ ।’ ଏଭଳି ଏକ ପୋଷ୍ଟ କରି ବିଜେପି ଉପରେ ରାଜନୈତିକ ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧି । କାରଣ ବିଜେପି ସରକାର ଦେଶରେ ଘୃଣା ସୃଷ୍ଟି କରୁଥିବା ନେଇ ସେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଆଉ ତାଙ୍କ ଯାତ୍ରାକୁ ନେଇ ଯେତେବେଳେ ବିଜେପି ପ୍ରଶ୍ନ କରୁଛି, ଠିକ ସେତିକି ବେଳେ ସୋସିଆଲ ମିଡିଆରେ ଏଭଳି ବିଜେପିକୁ ଘେରିଛନ୍ତି ରାହୁଲ ଗାନ୍ଧି । ସେହିପରି ରାହୁଲଙ୍କ ମାନସରୋବର ଯାତ୍ରାର ପ୍ରମାଣ ଦେବାଲାଗି କିଛି ସହଯାତ୍ରୀଙ୍କ ପାଖରେ ରାହୁଲ ଛିଡା ହୋଇ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।

ହେଲେ ରାହୁଲଙ୍କ ଏହି ଫଟୋ ମଧ୍ୟ ସମାଲୋଚକଙ୍କ ମୁହଁ ବନ୍ଦ କରିପାରି ନାହିଁ । କାରଣ ମୂଳରୁ ରାହୁଲଙ୍କ ଗସ୍ତକୁ ମିଛ ବୋଲି କହିଆସୁଥିବା ବିଜେପି ଏହି ଫଟୋକୁ ନେଇ ମଧ୍ୟ ଆପତ୍ତି ଉଠାଇଛି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଆଉ ପାଦେ ଆଗେଇ ଯାଇ ଏହାକୁ ଫଟୋସପରେ ତିଆରି କରାଯାଇଥିବା କହିଛନ୍ତି । ଜଣେ ସହଯାତ୍ରୀଙ୍କ ପାଖରେ ରାହୁଲ ଛିଡା ହୋଇଥିବାବେଳେ ହାତରେ ଏକ ବଙ୍କୁଲି ବାଡି ଧରିଛନ୍ତି । ଦୁଇ ଜଣଙ୍କ ଛାଇ ପଛରେ ପଡୁଥିବାବେଳେ ବାଡିଟିର ଛାଇ କାହିଁକି ପଡିନାହିଁ ବୋଲି ପ୍ରଶ୍ନ କରି ଏହାକୁ ଏକ ଜାଲି ଫଟୋ ବୋଲି ସେ ଅଭିଯୋଗ କରିବାକୁ ପଛାଇ ନାହାନ୍ତି ।

କେବଳ ରାହୁଲଙ୍କ ମାନସରୋବର ଯାତ୍ରାକୁ ମିଛ ବୋଲି ଅଭିଯୋଗ କରୁନାହିଁ ବିଜେପି ବରଂ ଏକ ଆଧ୍ୟାତ୍ମିକ ଗସ୍ତ ପୂର୍ବରୁ ରାହୁଲ ଗାନ୍ଧି ଆମିଷ ଖାଇଥିବା ନେଇ ମଧ୍ୟ ବିବାଦ ଜୋରଦାର ହୋଇଥିଲା । ଗତ ଅଗଷ୍ଟ ୩୧ରେ ରାହୁଲ ମାନସରୋବର ଅଭିମୁଖେ ବାହାରିବା ପୂର୍ବରୁ ନେପାଳ କାଠମାଣ୍ଡୁରେ ଥିବା ଭୁଟୁ ରେଷ୍ଟୁରାଂଟରେ ରାହୁଲ ଗାନ୍ଧି ଚିକେନ କୁରକୁରେ ଖାଇଥିବା ନେଇ ଚର୍ଚ୍ଚା ହେବା ପରେ ରେଷ୍ଟୁରାଂଟ ପକ୍ଷରୁ ଫେସବୁକ ପେଜରେ ବିବୃତି ଜାରି କରାଗଲା । ମାନସିକ ରଖି ମାନସରୋବର ଯାତ୍ରାରେ ଯାଉଥିବା ରାହୁଲ ଗାନ୍ଧି କେବଳ ସାତ୍ୱିକ ଭୋଜନ କରିଥିବା କୁହାଗଲା ।

ମୋଟାମୋଟି କହିବାକୁ ଗଲେ ରାହୁଲ ଗାନ୍ଧିଙ୍କ ମାନସରୋବର ଯାତ୍ରାକୁ ନେଇ ସରଗରମ ହୋଇଛି ଜାତୀୟ ରାଜନୈତିକ ପାଣିପାଗ । କାରଣ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ହିନ୍ଦୁତ୍ୱ ଛବିକୁ କାଉଂଟର କରିବା ଲାଗି ନିଜକୁ ଜଣେ ଶିବ ଭକ୍ତ ଭାବେ ପ୍ରଚାର ପ୍ରସାର କରିବା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧି । ଯାତ୍ରା କାଳରେ ନିଜ ଆଧ୍ୟାତ୍ମିକ ଅନୁଭୂତିକୁ ଗୋଟିଗୋଟି କରି ସୋସିଆଲ ମିଡିଆରେ ନିଜ ସମର୍ଥକ ଓ ଦେଶବାସୀଙ୍କ ଆଗରେ ରଖିବା ସହ ବିଜେପି ଅଭିଯୋଗର ଉତ୍ତର ରଖିବାକୁ ଫଟୋ ଓ ଭିଡିଓ ଜାରି କରିଛନ୍ତି । ଦୁଇ ଏସପିଜିଙ୍କ ସହ ଗୁଜରାଟର ଏକ ୨୦ ଜଣିଆ ତୀର୍ଥଯାତ୍ରୀଙ୍କ ସହ ନେପାଳ ଦେଇ କୈଳାସ ମାନସରୋବର ଯାତ୍ରାରେ ବାହାରି ପଡିଛନ୍ତି ।