କନକ ବ୍ୟୁରୋ : କେରଳର ୱାୟନାଡରୁ ଦ୍ୱିତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହେବା ପରେ ଆଜି ଜନସଭାକୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ । ୱାୟନାଡବାସୀଙ୍କୁ ଧନ୍ୟବାଦ ଦେବା ସହ ଲୋକଙ୍କୁ ପଚାରିଛନ୍ତି ସେ କେଉଁଠାରୁ ସାଂସଦ ରହିବେ? କାରଣ ୱାୟନାଡ ସହ ରାୟବରେଲି ଆସନରୁ ବିଜୟୀ ହୋଇଛନ୍ତି ରାହୁଲ ଗାନ୍ଧୀ ।

ଏସବୁ ଭିତରେ ରାହୁଲ ଗାନ୍ଧୀ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ମୁଁ କେଉଁ ଆସନରୁ ସାଂସଦ ରହିବି ତାହାକୁ ନେଇ ଦ୍ୱନ୍ଦ୍ୱରେ ରହିଛି । ରାୟବରେଲି ନା ୱାୟନାଡ । ଯାହାର ଜବାବରେ ସାଧାରଣ ଲୋକ କହିଥିଲେ ୱାୟନାଡ ଆସନରୁ ସାଂସଦ ରୁହନ୍ତୁ । ଏହା ଶୁଣିବା ପରେ ରାହୁଲ କହିଛନ୍ତି, ମୁଁ ଯାହା ବି ନିଷ୍ପତ୍ତି ନେବି ସେଥିରେ ୱାୟନାଡ ଓ ରାୟବରେଲିର ଲୋକ ଖୁସି ହେବେ । ଏହା ମୁଁ ପ୍ରତିଶ୍ରୁତି ଦେଉଛି । ବିପୁଳ ସମର୍ଥନରେ ବିଜୟୀ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ପୁଣିଥରେ ଖୁବଶୀଘ୍ର ଆପଣଙ୍କୁ ଭେଟିବାକୁ ଆସିବି ।

ଚଳିତ ନିର୍ବାଚନରେ ରାହୁଲ ଗାନ୍ଧୀ ଉଭୟ ୱାୟନାଡ ଓ ରାୟବରେଲି ଆସନରୁ ବିଜୟୀ ହୋଇଛନ୍ତି । ତେବେ ନିୟମ ମୁତାବକ ଗୋଟିଏ ଆସନ ରାହୁଲଙ୍କୁ ଛାଡିବାକୁ ହେବ । ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ରାହୁଲ । କାରଣ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ହେଉଛି ରାୟବରେଲି । ସେହିଭଳି ୱାୟନାଡର ଜନତା ରାହୁଲଙ୍କୁ ସେତେବେଳେ ଆପଣାଇଥିଲେ ଯେତେବେଳେ ତାଙ୍କର ପାରମ୍ପରିକ ଆସନ ଆମେଠିରୁ ତାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା । ତେଣୁ ଏ ଦୃଷ୍ଟିରୁ ଉଭୟ ରାୟବରେଲି ଓ ୱାୟନାଡ ଆସନ ରାହୁଲଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ରାହୁଲ ଯେଉଁ ଆସନରୁ ଇସ୍ତଫା ଦେବେ ସେହି ଆସନରେ ଉପ-ନିର୍ବାଚନ ହେବ । ଏଭଳି ସ୍ଥିତିରେ ଉପ-ନିର୍ବାଚନରେ ବିଜୟ ହାସଲ କରିବାକୁ ଚାହିଁବେ ଉଭୟ କଂଗ୍ରେସ ଓ ବିଜେପି । ତେଣୁ କେଉଁ ଆସନ ଛାଡିଲେ ଉପ-ନିର୍ବାଚନରେ କଂଗ୍ରେସର ବିଜୟ ସମ୍ଭାବନା ଅଧିକ ରହିବ ସେନେଇ ଅଙ୍କ କଷୁଥାଇପାରନ୍ତି କଂଗ୍ରେସର ଶୀର୍ଷ ନେତୃତ୍ୱ ।