କଂଗ୍ରେସର ଦେଶବ୍ୟାପୀ ପ୍ରତିବାଦ: କଳା ପୋଷାକ ପିନ୍ଧି କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ କଲେ ରାହୁଲ, ପ୍ରିୟଙ୍କା

192

କନକ ବ୍ୟୁରୋ: ଦରଦାମ ବୃଦ୍ଧି, ବେରୋଜଗାରୀ, ଜିଏସଟି ପ୍ରତିବାଦରେ ଆଜି ଦେଶବ୍ୟାପି ପ୍ରତିବାଦ କରିଛି କଂଗ୍ରେସ । ଦିଲ୍ଲୀରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପ୍ରତିବାଦର ମଂଗ ଧରିଥିଲେ । କଳା ପୋଷାକ ପିନ୍ଧି କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ କରିଥିଲେ । କେବଳ ଦିଲ୍ଲୀ ନୁହେଁ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ମଧ୍ୟ ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ ।

ଦରଦାମ ବୃଦ୍ଧି, ବେରୋଜଗାରୀ, ଜିଏସଟିକୁ ନେଇ ସାରାଦେଶରେ କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ଏମିତି ଶକ୍ତି ପଦର୍ଶନ କରିଛି । କଂଗ୍ରେସ ନେତାମାନେ କଳାପୋଷାକ ପିନ୍ଧି ପ୍ରତିବାଦ କରି ସେମାନେ ଏବେ ବି ଲଢ଼ିବାକୁ ସକ୍ଷମ ବୋଲି ସନ୍ଦେଶ ଦେଇଛନ୍ତିି । ଦୀର୍ଘ ଦିନ ପରେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ପୁଣି ଥରେ ପ୍ରତିବାଦ ଯାତ୍ରାରେ ସାମିଲ ହୋଇଛନ୍ତି । ଆଉ କେନ୍ଦ୍ର ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ପ୍ରତିବାଦରେ କଳା ପୋଷାକ ପିନ୍ଧି ପଦଯାତ୍ରା କରିଛନ୍ତି ଉଭୟ ଲୋକସଭା ଓ ରାଜ୍ୟସଭାର କଂଗ୍ରେସ ସାଂସଦ । ସାଂସଦ ରାହୁଲ ଗାନ୍ଧୀ କଳା ପୋଷାକ ପିନ୍ଧି ପଦଯାତ୍ରାର ମଂଗ ଧରିଥିଲେ । ପୋଲିସ ଅଟକାଇବା ସତ୍ୱେ ବି ଆଗକୁ ମାଡି ଚାଲିଥିଲେ ରାହୁଲ ଓ ତାଙ୍କ ଟିମ୍ । ପୋଲିସ ଅଟକାଇବାରୁ ମୁର୍ହାମୁହିଁ ହୋଇଥିଲେ । ତାପରେ ପୋଲିସ ସେମାନଙ୍କ ଅଟକ ରଖିଥିଲା । ଯାହାକୁ ନିନ୍ଦା କରିଛନ୍ତି ରାହୁଲ ।

କଂଗ୍ରେସ ନେତା ଓ କର୍ମୀଙ୍କ ପଦଯାତ୍ରା ମଂଗ ଧରିଥିଲେ ପ୍ରିୟଙ୍କା ଗାନ୍ଧୀ । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରିୟଙ୍କା ବାହାରିବା ପରେ ରାସ୍ତ୍ାକୁ ଓହ୍ଲାଇ ଆସିଥିଲେ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ । ଆଉ ପ୍ରିୟଙ୍କାଙ୍କ ସହ ପଦଯାତ୍ରା କରିଥିଲେ । ପ୍ରିୟଙ୍କା ଗାନ୍ଧି ବ୍ୟାରିକେଡ ଉପରେ ଚଢ଼ି ପଦଯାତ୍ରା କରିଥିଲେ । ଆଉ ପୋଲିସ ଅଟକାଇବାରୁ ଧସ୍ତାଧସ୍ତି ହୋଇଥିଲା । ତାପରେ ରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ ପ୍ରିୟଙ୍କା । ଆଉ ଶେଷରେ ପ୍ରିୟଙ୍କାଙ୍କୁ ଅଟକ ରଖିଥିଲା ପୋଲିସ ।

ଦରଦାମ ବୃଦ୍ଧି ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଓଡିଶାରେ ମଧ୍ୟ ପ୍ରତିବାଦ କରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ, ନେତା ଓ କର୍ମୀମାନେ ଶୋଭାଯାତ୍ରା କରିବା ସହ ପ୍ରତିିବାଦ କରିଛନ୍ତି । ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ରେଡ୍ ଚାଲିଥିବାରୁ ଗାନ୍ଧୀ ପରିବାରକୁ ସୁରକ୍ଷା ଦେବା ପାଇଁ କଂଗ୍ରେସର ଏହି ପ୍ରତିବାଦ ବୋଲି କହିଛି ବିଜେପି । ଦରଦାମ ବୃଦ୍ଧି ଓ ବେରୋଜଗାରୀ ବୃଦ୍ଧିକୁ ନେଇ ଗତ କିଛି ଦିନ ହେଲା ସ୍ୱର ଉଠାଇ ଆସୁଛନ୍ତି ରାହୁଲ ଗାନ୍ଧୀ । ସଂସଦରୁ ସଡକ ପର୍ଯ୍ୟନ୍ତ ପ୍ରତିବାଦ କରୁଛନ୍ତି । କିନ୍ତୁ ଏହାକୁ ମିଛ ବାହାନା ବୋଲି କହି ଏଡାଇ ଆସୁଛନ୍ତି କେନ୍ଦ୍ର ସରକାର ।