କନକ ବ୍ୟୁରୋ : କ୍ରିକେଟ ଖେଳରେ ଖେଳାଳୀ ଛକା ମାରି ଅଧିକ ଖୁସି ହୁଅନ୍ତି । କିନ୍ତୁ ଚଳିତ ବିଶ୍ୱକପରେ ଛକା ମାରିବା ପରେ ମଧ୍ୟ ମନଦୁଃଖ କରିଛନ୍ତି ଭାରତୀୟ କ୍ରିକେଟର କେଏଲ ରାହୁଲ । ଛକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ ରାହୁଲ । କିନ୍ତୁ ଉକ୍ତ ଛକାକୁ ନେଇ ନିରାଶ ମଧ୍ୟ ହୋଇଥିଲେ । କାରଣ ଛକା ପାଇଁ ବିଶ୍ୱକପରେ ନିଜର ପ୍ରଥମ ଶତକରୁ ବଞ୍ଚିତ ହୋଇଥିଲେ ରାହୁଲ । ଯାହାକୁ ନେଇ ପଡିଆରେ କିଛି ସମୟ ପାଇଁ ନିରାଶ ହୋଇ ବସି ପଡିଥିଲେ ରାହୁଲ । ଘଟଣାଟି ଥିଲା କିଛି ଏମିତି ।

Advertisment

୯୧ ରନରେ ରାହୁଲ ବ୍ୟାଟିଂ କରୁଥିବା ବେଳେ ଭାରତକୁ ବିଜୟ ପାଇଁ ଆବଶ୍ୟକ ଥିଲା ମାତ୍ର ୫ ରନ । ବିଜୟ ନିଶ୍ଚିତ ଜାଣିବା ପରେ ରାହୁଲ ନିଜର ଶତକ ପାଇଁ ଚେଷ୍ଟା କରିଥିଲେ । ଆଉ ଏଥିପାଇଁ ମନେ ମନେ ହିସାବ ମଧ୍ୟ କରିଥିଲେ କିଭଳି ଦଳକୁ ବିଜୟୀ କରିବା ସହ ନିଜର ଶତକ ମଧ୍ୟ ପୂରା କରିବେ । ଯେଉଁଥିପାଇଁ ପ୍ରଥମେ ଚୌକା ଓ ପରେ ଛକା ମାରିବାକୁ ପ୍ଲାନ କରିଥିଲେ । କିନ୍ତୁ ମିଡ୍ ଅଫରେ ରାହୁଲ ଖେଳିଥିବା ସଟଟି ଛକା ହୋଇ ଯାଇଥିଲା । ଯାହା ରାହୁଲଙ୍କୁ କିଛି ମାତ୍ରାରେ ନିରାଶ କରିଥିଲେ । ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଉକ୍ତ ବଲକୁ ଚୌକା ମାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ଛକା ହୋଇଥିଲା । ମ୍ୟାଚ୍ ପରେ ରାହୁଲ ମଧ୍ୟ ସମାନ କଥା କହିଥିଲେ । ଏପରିକି ପରେ କେବେ ପୁଣି ଶତକ ହାସଲ କରିବି ବୋଲି କହି ସ୍ମିତହାସ୍ୟ ଦେଇଥିଲେ ।

ରାହୁଲ କହିଛନ୍ତି, ମ୍ୟାଚ୍ ମଝିରେ କୋହଲିଙ୍କ ସହ ବିଶେଷ ଆଲୋଚନା କରିନଥିଲି । ୫୦ ଓଭର କିପିଂ କରିବା ପରେ କିଛି ସମୟ ଆରାମ ଚାହୁଁଥିଲି । କିନ୍ତୁ ଅତିଶୀଘ୍ର ୩ଟି ୱିକେଟ ଯିବା ପରେ ବ୍ୟାଟିଂ କରିବାକୁ ଆସିଥିଲି । କ୍ରିଜରେ ପହଞ୍ଚିବା ପରେ କୋହଲି କହିଥିଲେ, କିଛି ସମୟ ପାଇଁ ଟେଷ୍ଟ ମ୍ୟାଚ୍ ଭଳି କ୍ରିକେଟ ଖେଳ । ଟିମ୍ ପାଇଁ ଏଭଳି ଇନିଂସ ଖେଳିଥିବାରୁ ବହୁତ ଖୁସି । କ୍ରିଜରେ ଥରେ ସେଟ୍ ହେବା ପରେ ଷ୍ଟ୍ରାଇକ ରୋଟେଟ କରିବା ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଲଗାତାର ଷ୍ଟ୍ରାଇକ ରୋଟେଟ କରିବା ଦ୍ୱାରା ଆମ ଉପରେ ଥିବା ଚାପ ଧୀରେ ଧୀରେ ହ୍ରାସ ହୋଇଥିଲା ।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ୨ ରନରେ ୩ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା । କିନ୍ତୁ କୋହଲି ଓ ରାହୁଲଙ୍କ ମଧ୍ୟରେ ୧୬୫ ରନର ପାର୍ଟନରସିପ ଭାରତ ପାଇଁ ବିଜୟ ପଥ ପରିଷ୍କାର କରିଥିଲା । ୨୦୦ ରନର ଟାର୍ଗେଟକୁ ୪ ୱିକେଟ ହରାଇ ହାସଲ କରି ନେଇଥିଲା ଟିମ୍ ଇଣ୍ଡିଆ । କୋହଲି ୮୫ ରନର ଇନିଂସ ଖେଳିବା ପରେ ରାହୁଲ ୯୭ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ ୧୧ ଅକ୍ଟୋବରରେ ଖେଳିବ । ସେହିଭଳି ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୧୪ରେ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ । ଯେଉଁ ମ୍ୟାଚ୍ ଉପରେ ପୂରା ବିଶ୍ୱର ନଜର ରହିଛି ।