ଭଉଣୀ ପ୍ରିୟଙ୍କାଙ୍କୁ ଧରି ଲକ୍ଷ୍ମୀପୁର ଅଭିମୁଖେ ବାହାରିଲେ ଭାଇ ରାହୁଲ । ପ୍ରଦର୍ଶନ ବେଳେ ପ୍ରାଣ ହରାଇଥିବା କୃଷକ ଓ ସାମ୍ବାଦିକଙ୍କ ପରିବାରକୁ ଭେଟିବେ ।

150

କନକ ବ୍ୟୁରୋ : ଲକ୍ଷ୍ମୀପୁର ଯିବାକୁ ଅନୁମତି ମିଳିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୀତାପୁରରେ ଭଉଣୀ ପ୍ରିୟଙ୍କାଙ୍କୁ ଭେଟିଛନ୍ତି । ଭଉଣୀ ପ୍ରିୟଙ୍କାଙ୍କୁ ଧରି ସୀତାପୁରରୁ ଲକ୍ଷ୍ମୀପୁର ଅଭିମୁଖେ ଯାତ୍ରା କରିଛନ୍ତି ରାହୁଲ । ଲକ୍ଷ୍ମୀପୁରକୁ ଯାଉଥିବା ବେଳେ ପ୍ରିୟଙ୍କାଙ୍କୁ ଗିରଫ କରି ସୀତାପୁର ପିଏସି ଗେଷ୍ଟ ହାଉସରେ ରଖାଯାଇଥିଲା । ଆଉ ଆଜି ସୀତାପୁରର ଅସ୍ଥାୟୀ ଜେଲରୁ ପ୍ରିୟଙ୍କାଙ୍କୁ ଛଡାଯାଇଛି ।

ଲକ୍ଷ୍ମୀପୁରରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀ ପ୍ରଥମେ ମୃତ ସାମ୍ବାଦିକ ରମଣ କଶ୍ୟପଙ୍କ ଘରେ ପହଞ୍ଚିବେ । ରମଣଙ୍କର ଲକ୍ଷ୍ମୀପୁର ହିଂସାକାଣ୍ଡରେ ମୃତ୍ୟୁ ହୋଇଥିଲା । ତେବେ ଲକ୍ଷ୍ମୀପୁରରେ ଯିବା ପୂର୍ବରୁ ରମଣଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସମବେଦନା ଜଣାଇଥିଲେ ପ୍ରିୟଙ୍କା । ଏପରିକି ରମଣଙ୍କୁ ନ୍ୟାୟ ଦେବାକୁ ଲଢେଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ ପ୍ରିୟଙ୍କା । ରମଣଙ୍କ ପରିବାରକୁ ଭେଟିବା ପରେ ରାହୁଲ ଗାନ୍ଧୀ ପ୍ରଦର୍ଶନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ଘରକୁ ଯିବା ସହ ସମବେଦନା ଜଣାଇବେ ।

ଏହାପୂର୍ବରୁ ରାହୁଲ ଗାନ୍ଧୀ ଲକ୍ଷ୍ମୀପୁର ଯିବାକୁ ବାହାରିଥିବା ବେଳେ ତାଙ୍କୁ ଅଟକାଯାଇଥିଲା । ବିମାନବନ୍ଦରରେ ତାଙ୍କୁ ପ୍ରଶାସନ ପକ୍ଷରୁ ଯେଉଁ ଗାଡିର ବ୍ୟବସ୍ଥା ହୋଇଥିଲା ସେହିଥିରେ ଯିବାକୁ କୁହାଯାଇଥିଲା । କିନ୍ତୁ ନିଜ ଗାଡିରେ ଯିବାକୁ ରାହୁଲ କହିବା ସହ ବିମାନବନ୍ଦରରେ ଧାରଣାରେ ବସିଥିଲେ । ତେବେ ଏହାର କିଛି ସମୟ ପରେ ପ୍ରଶାସନ ତରଫରୁ ନିଜ ଗାଡିରେ ଯିବାକୁ ରାହୁଲଙ୍କୁୂ ଅନୁମତି ମିଳିଥିଲା ।