କନକ ବ୍ୟୁରୋ : ଭାରତୀୟ କୁସ୍ତି ସଂଘ ସଭାପତି ଚୟନ ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହରିୟାଣାର ଝାଜାର ଜିଲ୍ଲାରେ ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆଙ୍କୁ ଭେଟି ଆଲୋଚନା କରିଛନ୍ତି ରାହୁଲ । ଏହି ଭେଟଘାଟ ପରେ ବଜରଙ୍ଗ କହିଛନ୍ତି, ରାହୁଲ ଏଠାକୁ ଆସି କୁସ୍ତି ଶିଖିବା ସହ ଖେଳିଥିଲେ । କୁସ୍ତିଯୋଦ୍ଧାଙ୍କ ଦୈନନ୍ଦିନ ଜୀବନଶୈଳୀ କେମିତି ତାହା ଜାଣିଥିଲେ ।
ବିଜେପି ସାଂସଦ ତଥା କୁସ୍ତି ମହାସଂଘ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ବିବାଦ ଦେଖାଦେଇଥିଲା । ଯାହାକୁ ବିରୋଧ କରିଥିଲେ କୁସ୍ତିଯୋଦ୍ଧା । ସଞ୍ଜୟ ସିଂ ଅଧ୍ୟକ୍ଷ ହେବା ପରେ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ । ସେହିଭଳି ଅଲିମ୍ପିକ ମେଡାଲ ବିଜେତା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଥିଲେ । ସ୍ଥିତି ବିଗୁଡୁଥିବାରୁ କୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ରଦ୍ଦ କରିଥିଲା । ସଂଘ ପରିଚାଳନା ପାଇଁ ଅସ୍ଥାୟୀ କମିଟି ଗଠନ କରିବାକୁ ଇଣ୍ଡିଆନ ଅଲମ୍ପିକ ସଂଘକୁ କ୍ରୀଡା ମନ୍ତ୍ରଣାଳୟର ନିର୍ଦ୍ଦେଶ ଦେଇଛି ।
Follow Us