ପଞ୍ଜାବ କିଙ୍ଗସକୁ ବାଏ ବାଏ କରିପାରନ୍ତି ରାହୁଲ ! ଜାଣନ୍ତୁ କେଉଁ ଟିମର ହୋଇପାରନ୍ତି ନୂଆ ଅଧିନାୟକ?

303

କନକ ବ୍ୟୁରୋ : ୨୦୨୨ ଆଇପିଏଲ ପାଇଁ ଖୁବଶୀଘ୍ର ମେଗା ନିଲାମୀ ଆରମ୍ଭ ହେବ । ଆଉ ନିଲାମୀ ପରେ ଅଧିକାଂଶ ଟିମ୍ ବଦଳିଯିବ । କାରଣ ଆଇପିଏଲର ଆଗାମୀ ସିଜିନରେ ୨ଟି ନୂଆ ଟିମ୍ ଭାଗ ନେବେ । ଲକ୍ଷ୍ନୌ ଓ ଅହମ୍ମଦାବାଦ ଦୁଇଟି ନୂଆ ଟିମ୍ ଭାବେ ଆଇପିଏଲରେ ଭାଗ ନେବେ । ଏହି ୨ଟି ନୂଆ ଟିମ ସାମିଲ ହେବା ଫଳରେ ଅନ୍ୟ ଦଳ ଗୁଡିକରେ ମଧ୍ୟ ବଡଧରଣର ହଲଚଲ ଦେଖିବାକୁ ମିଳିବ । ଆଉ ଏସବୁ ଭିତରେ ପଞ୍ଜାବ କିଙ୍ଗସର ଅଧିନାୟକ କେଏଲ ରାହୁଲଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି ।

ମିଳିଥିବା ସୂଚନା ମୁତାବକ, ଆସନ୍ତା ସିଜିନରେ ପଞ୍ଜାବ କିଙ୍ଗସରେ ରାହୁଲଙ୍କୁ ଦେଖିବାକୁ ନ ମିଳିପାରେ । ପଞ୍ଜାବ କିଙ୍ଗସର ସହ-ମାଲିକ ନେଓ ୱାଡିଆ ଏନେଇ ସଂକେତ ଦେଇଛନ୍ତି । ନେସ ଏକ ସାକ୍ଷାତକାରରେ କହିଛନ୍ତି, କେଏଲ ରାହୁଲଙ୍କ ବ୍ୟତୀତ ଟିମରେ ଆହୁରି ଅନେକ ଖେଳାଳୀ ଅଛନ୍ତି । ଜଣେ ଖେଳାଳୀଙ୍କୁ ନେଇ କେବେ ଟିମ୍ ଗଠନ ହୁଏ ନାହିଁ । କୌଣସି ବି ଟିମ୍ ଜଣେ ଖେଳାଳୀଙ୍କ ଉପରେ ଅଧିକ ନିର୍ଭରଶୀଳ ରହିଲେ ପରବର୍ତ୍ତୀ ସମୟରେ ସେହି ଖେଳାଳୀ ଦଳ ପାଇଁ ବୋଝ ହୋଇପାରନ୍ତି ।

ନେସଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ରାହୁଲ ପଞ୍ଜାବ କିଙ୍ଗସ ଛାଡୁଥିବା ନେଇ ଚର୍ଚ୍ଚା ବଢୁଛି । ଏପରିକି କିଛି ଟିମ୍ ରାହୁଲଙ୍କୁ ଯୋଗାଯୋଗ କରିଥିବା ଜାଣିବାକୁ ମିଳିଛି । କାରଣ ଗତ ସିଜିନ ଗୁଡିକରେ ଦମଦାର ପ୍ରଦର୍ଶନ କରି ଆସିଛନ୍ତି ରାହୁଲ । ଆଉ ଚଳିତଥର ମଧ୍ୟ ୬୨୬ ରନ୍ କରି ପଞ୍ଜାବ ପକ୍ଷରୁ ଟପ୍ ସ୍କୋରର ରହିଥିଲେ । ଗତ ୪ଟି ସିଜିନରେ ରାହୁଲ ପଞ୍ଜାବ କିଙ୍ଗସ ସହ ରହିଥିବା ବେଳେ ପ୍ରତି ସିଜିନରେ ୫୦୦ରୁ ଅଧିକ ସ୍କୋର କରିଛନ୍ତି । କିନ୍ତୁ ଏହି ୪ଟି ସିଜିନରେ ଦଳ ପ୍ଲେ ଅଫ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିନାହିଁ ।

୨୦୨୨ରେ ହେବାକୁ ଥିବା ମହାନିଲାମୀରେ ରାହୁଲଙ୍କୁ ନିଜ ଦଳରେ ସାମିଲ କରିବାକୁ ଅଧିକାଂଶ ଟିମ୍ ଚାହିଁବେ । ଏପରିସ୍ଥଳେ ରାହୁଲଙ୍କୁ ନିଜ ଦଳରେ ସାମିଲ କରିବାକୁ ୩ଟି ଟିମ୍ ଜୋରଦାର ପ୍ରୟାସ କରିବେ । ଅହମ୍ମଦାବାଦ ଓ ଲକ୍ଷ୍ନୌ ଏହି ଦୌଡରେ ଆଗରେ ରହିବେ । ଏହି ୨ ଟିମ୍ ରାହୁଲଙ୍କୁ ଦଳରେ ସାମିଲ କରିବାକୁ ଚାହିଁବେ, କାରଣ ନୂଆ ଦଳର ଅଧିନାୟକ ଭାବେ ରାହୁଲ ପ୍ରଥମ ପସନ୍ଦ ପାଲଟିପାରନ୍ତି । ସେହିଭଳି ବାଙ୍ଗାଲୋର ମଧ୍ୟ ରାହୁଲଙ୍କୁ ନିଜ ଟିମରେ ସାମିଲ କରିବାକୁ ଜୋର ଦେଇପାରେ । କାରଣ ୨୦୨୨ ଆଇପିଏଲରେ ବାଙ୍ଗାଲୋର ଦଳ ନୂଆ ଅଧିନାୟକଙ୍କ ସହ ମୈଦାନକୁ ଓହ୍ଲାଇବ । ଯେହେତୁ ବିରାଟ କୋହଲି ଅଧିନାୟକ ପଦ ଛାଡିସାରିଛନ୍ତି ତେଣୁ ରାହୁଲଙ୍କୁ ଦଳରେ ସାମିଲ କରି ଏହି ଦାୟିତ୍ୱ ଦେଇପାରେ ଆରସିବି ।