ପଦ ଯିବା ପରେ ଆହୁରି ଆକ୍ରମଣାତ୍ମକ ରାହୁଲ । ବିଜେପିର ପ୍ରଶ୍ନ ‘କାହିଁକି କୋର୍ଟ ଯାଉନାହିଁ କଂଗ୍ରେସ’

66

କନକ ବ୍ୟୁରୋ : ସାଂସଦ ପଦ ଯିବା ପରେ ଶନିବାର ରାହୁଲ ଗାନ୍ଧୀ ମିଡିଆ ସାମ୍ନାରେ ସରକାର ବିରୋଧରେ ବର୍ଷିଛନ୍ତି । ତାଙ୍କ ବିରୋଧରେ ସରକାର ଯେକୌଣସି ପଦକ୍ଷେପ ନିଅନ୍ତୁ ହେଲେ ସେ ଆଗକୁ ଡରିବେ ନାହିଁ କି ନଇଁବେ ନାହିଁ ବୋଲି କହିଛନ୍ତି । ଆଉ ଆଗକୁ କଂଗ୍ରେସ ଶାସକ ଦଳ ବିରୋଧରେ ଜୋରଦାର ଲଢେଇ କରିବ ବୋଲି ରାହୁଲ ଏପରି କହି ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ସେହିପରି ରାହୁଲ ଗାନ୍ଧୀଙ୍କ ସପକ୍ଷରେ କଂଗ୍ରେସ ପକ୍ଷରୁ ଦେଶରେ ‘ଗଣତନ୍ତ୍ର ବଂଚାଅ’ ଅଭିଯାନ କରିବ ବୋଲି ଜଣାପଡିଛି । ବିଦେଶରୁ ଫେରିବା ପରେ ଲୋକସଭାର ବାଚସ୍ପତି ତାଙ୍କ କଥା ଶୁଣି ନାହାନ୍ତି, ବିଦେଶୀ ଶକ୍ତିର କୌଣସି ପ୍ରକାରର ସାହାଯ୍ୟ ମାଗିନାହାନ୍ତି , ଆଦାନୀ ଉପରେ ସେ ଆଗକୁ ପ୍ରଶ୍ନ ପଚାରିବା ବନ୍ଦ କରିବେ ନାହିଁ । ସରକାରଙ୍କୁ ସେ ଭୟ କରନ୍ତି ନାହିଁ । କୋର୍ଟଙ୍କ ଦଣ୍ଡକୁ ଭୟ କରନ୍ତି ନାହିଁ ବୋଲି କହି ରାହୁଲ ଜୋରଦାର ବର୍ଷିଛନ୍ତି । ଅନ୍ୟପଟେ ଓବିସି ବର୍ଗଙ୍କୁ ଯେଉଁ ଅପମାନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ତାକୁ ସେ ଖଣ୍ଡନ କରିଛନ୍ତି ।

ଅନ୍ୟପଟେ ବିଜେପି ମଧ୍ୟ ରାହୁଲଙ୍କୁ ପାଲଟା ଜବାବ ଦେଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଗାନ୍ଧୀ ଅଭ୍ୟାସଗତ ମିଛୁଆ । ପଛୁଆବର୍ଗକୁ ଅପମାନିତ କରି, ମାମଲା ହୋଇଥିଲା । କର୍ଣ୍ଣାଟକ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ସହାନୁଭୂତି ପାଇବାକୁ ଚେଷ୍ଟା କରୁଛି । ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଆସିବ କି ବୋଲି ପ୍ରଶ୍ନ କରିଛନ୍ତି ରବି ଶଙ୍କର ପ୍ରସାଦ । ସେହିପରି ରାହୁଲ ସମସ୍ତଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ ଆଣିିବା ସହ ବିଜେପି ରାହୁଲଙ୍କ ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ କରିବ ବୋଲି କହିଛି । ଅନ୍ୟପଟେ ପଦ ବଂଚାଇବାକୁ ଚାହୁଁଥିଲେ କଂଗ୍ରେସ କାହିଁକି ଉପର କୋର୍ଟକୁ ଯାଉନି ବୋଲି ରବି ଶଙ୍କର ପ୍ରଶ୍ନ କରିଛନ୍ତି    ।

ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ପରେ ଗୋଟିଏ ପଟେ ଏହି ସୁଯୋଗର ଫାଇଦା ନେଇ ସାରା ଦେଶରେ ସ୍ଥିତିକୁ ମଜବୁତ କରିବାକୁ କଂଗ୍ରେସ ଚେଷ୍ଟା କରୁଛି । ସେହିପରି ଏହି ପ୍ରସଙ୍ଗରେ ଟିଏମସି, ବିଆରଏସ, ଆପ୍ ଭଳି ଦଳ ରାହୁଲଙ୍କୁ ସମର୍ଥନ କରିବା ବିରୋଧୀଙ୍କୁ ଏକଠି କରିପାରେ ବୋଲି ଅନୁମାନ କରାଯାଉଛିା