୩ ଦିନ ହେଲା ରାହୁଲଙ୍କୁ ଚାଲିଛି ଜେରା। ସାରା ଦେଶରେ କଂଗ୍ରେସର ବିକ୍ଷୋଭ।

132

କନକ ବ୍ୟୁରୋ : ତିନି ଦିନ ହେଲା ରାଜଧାନୀ ଦିଲ୍ଲୀରେ ସ୍ଥିିତି ସଙ୍ଗୀନ ରହିଛି । କଂଗ୍ରେସ ନେତା ଓ କର୍ମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ଜୋରଦାର ବିକ୍ଷୋଭ କରିଛନ୍ତି । ଧୀରେ ଧୀରେ ଏହି ବିକ୍ଷୋଭ ଉଗ୍ର ହେବାରେ ଲାଗିଛି । ପ୍ରାୟ ୮ଶହ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ୍ । କଂଗ୍ରେସ କର୍ମୀଙ୍କ ଏହି ଆକ୍ରୋଶର କାରଣ ହେଲା, ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା । ନ୍ୟାସନାଲ ହେରାଲଡ୍ ମାମଲାରେ ଲଗାତର ତିନି ଦିନ ହେଲା ଜେରା କରୁଛି ଇଡି । ଗତ ଦୁଇ ଦିନରେ ପ୍ରାୟ ୨୫ ଘଣ୍ଟା ଜେରାର ସମ୍ମୁଖୀନ ହୋଇସାରିଲେଣି ରାହୁଲ । ହେଲେ ରାହୁଲଙ୍କୁ ଇଡିର ପ୍ରଶ୍ନ ସରୁନି, କିମ୍ବା କେତେଦିନ ଆଉ ଜେରା ଚାଲିବ, କିଛି ସ୍ପଷ୍ଟ କରୁନାହାନ୍ତି ଇଡି ଅଧିକାରୀ ।

ଖାଲି ଦିଲ୍ଲୀ ନୁହେଁ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ହୋଇଛି । ଏହାସହ ଗୁରୁବାର ଦେଶର ବିଭିନ୍ନ ରାଜ୍ୟରେ ପ୍ରତିବାଦ ପାଇଁ ମଧ୍ୟ ଦଳ ନିଷ୍ପତି ନେଇଛି । ରାହୁଲଙ୍କ ଜେରା କରାଯିବାକୁ ଦୃଢ଼ନିନ୍ଦା କରିବା ସହ ଗୁରୁବାର ଦିନ ୧୧ଟାରୁ ୧ ଟା ପର୍ଯ୍ୟନ୍ତ ରାଜଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ ।
ରାହୁଲଙ୍କ ଇଡି ପକ୍ଷରୁ ଜେରା ଚାଲିଥିବା ବେଳେ ମୋଦୀ ସରକାରଙ୍କୁ କଂଗ୍ରେସ ପକ୍ଷରୁ ନୋଟିସ୍ ପଠାଯାଇଛି । ଦଳ ଏଥିରେ ଅଭିଯୋଗ ଆଣିଛି ଯେ, ରାହୁଲଙ୍କ ଜେରା ସମ୍ପର୍କରେ ଜାଣି ଶୁଣି ଭୁଲଖବର ପ୍ରଚାର କରାଯାଉଛି।

ନ୍ୟାସନାଲ ହେରାଲ୍ଡ ସମ୍ପତ୍ତି ହେରଫେର ମାମଲାରେ ରାହୁଲଙ୍କୁ ଜୁନ୍ ୨ରେ ହାଜର ହେବାକୁ ନୋଟିସ୍ କରିଥିଲା ଇଡି । ହେଲେ ସେତେବେଳେ ରାହୁଲ ବିଦେଶରେ ଥିବାରୁ ଜୁନ୍ ୧୩ରେ ହାଜର ହେବାକୁ କୁହାଯାଇଥିଲା । ଏହା ପରଠୁ ରାହୁଲଙ୍କୁ ଚାଲିଛି ଜେରା ।