ଆଜି ରାଉରକେଲାରୁ ପୁଣି ରାହୁଲ ଗାନ୍ଧୀଙ୍କ ଯାତ୍ରା । ରାଲି ପରେ କରିବେ ସାଧାରଣ ସଭା । ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ।

77

କନକ ବ୍ୟୁରୋ: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ମଙ୍ଗଳବାର ଠାରୁ ଓଡିଶାରେ ପହଁଞ୍ଚଥିବା ବେଳେ ଆଜି ସକାଳୁ ରାଉରକେଲାରୁ ପୁଣି ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ରାଉରକେଲା ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ ଯାତ୍ରା ପରେ ସେଠାରେ ସାଧାରଣ ସଭା କରିବେ । ରାଣୀବନ୍ଧରୁ ଯାତ୍ରା, କୁତ୍ରା, ବଡଗାଁରେ ଦେବେ ଉଦବୋଧନ ।

ସୁନ୍ଦରଗଡରେ ପଦଯାତ୍ରା ଓ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟ ଉତ୍ସାହ ଭରିଯାଇଛି । ଏହାସହ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାହୁଲଙ୍କ ସହ ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ରହିବେ । ମଙ୍ଗଳବାର ଅପରାହ୍ନରେ ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା, ଓଡିଶାରେ ପହଞ୍ଚିଛି ।

ଝାଡଖଣ୍ଡ ସୀମା ଅତିକ୍ରମ କରି ସୁନ୍ଦରଗଡ ବୀରମିତ୍ରପୁରଠାରେ ଓଡିଶାରେ ପ୍ରବେଶ କରିଥିଲେ ରାହୁଲ । ବୀରମିତ୍ରପୁରଠାରେ ଓଡିଶା କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯିବା ପରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ପତାକା ରାଜ୍ୟ କଂଗ୍ରେସକୁ ହସ୍ତାନ୍ତର କରାଯାଇଥିଲା । ଆୟୋଜିତ ସଭାରେ ରାହୁଲ ଗାନ୍ଧୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ସହ ଓଡିଶାବାସୀଙ୍କ କଥା ଶୁଣିବାକୁ ଆସିଥିବା କହିଛନ୍ତି । ଆସନ୍ତାକାଲି ଝାରୁସୁଗୁଡା ମହାତ୍ମା ଗାନ୍ଧୀ ଛକରୁ ପୁଣି ଯାତ୍ରାରେ ବାହାରିବେ । ଅପରାହ୍ନ ୩ଟା ୪୫ରେ ଓଡିଶା-ଛତିଶଗଡ ସୀମା ଅତିକ୍ରମ କରିବାର କାର୍ଯ୍ୟକ୍ରମ ରହିଛି ।