ଆମେରିକାରେ ରାହୁଲ ଗାନ୍ଧୀଙ୍କ ବିସ୍ଫୋରକ ବୟାନ। ଭାରତୀୟ ନଥିଲେ ମହାତ୍ମା ଗାନ୍ଧୀ, ନେହେରୁ ଓ ସୁବାସ ବୋଷ

990

କନକ ବ୍ୟୁରୋ: ବିଦେଶରେ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ଆମେରିକାରେ ପୁଣି ଏକ ବିସ୍ଫୋରକ ବକ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଦେଶର ରାଜନୀତି ସରଗରମ ହୋଇପଡିଛି । ନ୍ୟୁୟର୍କରେ ଭାରତୀୟ ବଂଶଧରମାନଙ୍କୁ ସମ୍ବୋଧନ କରି ରାହୁଲ ଗାନ୍ଧୀ କହିଛନ୍ତି, ଭାରତ ନିର୍ମାଣ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅଧିକାଂଶ ସ୍ୱାଧୀନତା ସଂଗ୍ରାମୀ ଭାରତୀୟ ନଥିଲେ । ସେମାନେ ଏନଆରଆଇ ଥିଲେ । ଆମେରିକାର ତିନିଟି ସହର ଭ୍ରମଣରେ ଥିବା ରାହୁଲ କହିଛନ୍ତି, ମହାତ୍ମା ଗାନ୍ଧୀ, ବି.ଆର ଆମ୍ବେଦକର, ସର୍ଦ୍ଦାର ବଲ୍ଳଭଭାଇ ପଟେଲ, ଜବାହାରଲାଲ ନେହେରୁ, ଏବଂ ସୁବାଷ ଚନ୍ଦ୍ର ବୋଷଙ୍କ ସମେତ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନେତୃତ୍ୱ ନେଇଥିବା ସମସ୍ତ ନେତା ଏନଆରଆଇ ଥିଲେ । ରାହୁଲ ଗାନ୍ଧୀଙ୍କ ଏଭଳି ବୟାନକୁ ନେଇ କଡ଼ା ସମାଲୋଚନା କରିଛି ବିଜେପି ।

ଆମେରିକାରେ ଭାରତୀୟ ବଂଶଧରଙ୍କ ସମ୍ବୋଧନ କରି ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ରାହୁଲ । ସେ କହିଛନ୍ତି, ଭାରତରେ ଏବେ ଦୁଇଟି ବିଚାରଧାରା ମଧ୍ୟରେ ସଂଘର୍ଷ ଚାଲିଛି । ଗୋଟିଏ କଂଗ୍ରେସର ବିଚାରଧାରା ଅନ୍ୟଟି ବିଜେପି ଓ ଆରଏସଏସର । କଂଗ୍ରେସ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଚାରଧାରାରେ ପରିଚାଳିତ ହେଉଥିବା ବେଳେ ବିଜେପି ଏବଂ ଆରଏସଏସ ଦକ୍ଷିଣପନ୍ଥୀ ନେତା ନାଥୁରାମ ଗଡସେଙ୍କ ଆଦର୍ଶରେ ପରିଚାଳିତ ହେଉଛନ୍ତି । ଏନଆରଆଇ ଥିବା ମହାତ୍ମାଗାନ୍ଧୀ ସତ୍ୟ ଏବଂ ଅହିଂସା ପଥରେ ଚାଲୁଥିଲେ ଯାହାକୁ କଂଗ୍ରେସ ଅନୂସରଣ କରୁଛି । ହିଂସ୍ର ଓ ରାଗି ବ୍ୟକ୍ତି ନାଥୁରାମ ଗଡେସ ଯିଏ ସତ୍ୟକୁ ସାମ୍ନା କରିପାରିନଥଲେ ତାଙ୍କୁୁ ବିଜେପି ଅନସୂରଣ କରୁଛି ବୋଲି କହିଛନ୍ତି ରାହୁଲ ।

ରାହୁଲ ଗାନ୍ଧୀଙ୍କ ଏଭଳି ବୟାନକୁ ନେଇ ରାଜନୀତି ଜୋର ଧରିଛି । ରାହୁଲ ବକ୍ତବ୍ୟ ବିଦେଶରେ ଭାରତର ଛବିକୁ ମଳିନ କରୁଛି ବୋଲି ବିଜେପି କହିଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାହୁଲଙ୍କ ଏହି ମନ୍ତବ୍ୟ ଜାତୀୟ ରାଜନୀତିରେ ବିବାଦ ସୃଷ୍ଟି କରିଛି ।