ଅଗଷ୍ଟ ୪ ତାରିଖକୁ ରାହୁଲ ଗାନ୍ଧୀଙ୍କ ଫଇସଲା। ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଘୁଞ୍ଚିଲା ଶୁଣାଣି

138

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଘୁଞ୍ଚିଲା ଶୁଣାଣି । ଆସନ୍ତା ଅଗଷ୍ଟ ୪ ତାରିଖରେ ମାମଲା ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ । ଏନେଇ ସୁପ୍ରିମକୋର୍ଟ ଅଭିଯୋଗକାରୀ ବିଜେପି ବିଧାୟକ ପୁର୍ଣ୍ଣେସ ମୋଦୀ ଏବଂ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି ପକ୍ଷ ରଖିôବାକୁ କହିଛନ୍ତି । ବିଚାରପତି ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ ପି.କେ ମିଶ୍ର ମାମଲାର ଶୁଣାଣି କରିଛନ୍ତି । ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ରାୟର ପୁର୍ନବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ମୋଦୀ ସାଙ୍ଗିଆ ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ସଜା ଶୁଣାଇଥିଲେ । ଏହି ରାୟର ପୁର୍ନବିଚାର ପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ ରାହୁଲ ଗାନ୍ଧୀ । କିନ୍ତୁ ଗୁଜରାଟ ହାଇକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ନିରାଶ ହେବାକୁ ପଡିଥିଲା । ସୁରଟ କୋର୍ଟଙ୍କ ରାୟ ସଂରକ୍ଷିତ ରଖିଥିଲେ ଗୁଜରାଟ ହାଇକୋର୍ଟ । ତେବେ ୨୦୨୪ ନିର୍ବାଚନ ରାହୁଲ ଲଢିପାରିବେ କି ନାହିଁ ତାହା ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି । ଯଦି ସୁପ୍ରିମକୋର୍ଟ ମାମଲାର ସଜା ଦୁଇ ବର୍ଷରୁ କମ କରିଦିଅନ୍ତି ତେବେ ରାହୁଲ ନିର୍ବାଚନ ଲଢିପାରିବେ । ନଚେତ୍ ନିୟମ ଅନୁଯାୟୀ, ରାହୁଲ ଗାନ୍ଧୀ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ।

ସୂଚନା ମୁତାବକ, ୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିରେ ମୋଦୀ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧୀ । ସବୁ ମୋଦୀ ସାଙ୍ଗିଆଧାରୀ ଚୋର ବୋଲି କହିଥିଲେ ରାହୁଲ । ଯାହା ବିରୋଧରେ କୋର୍ଟରେ ମାନହାନୀ ମାମଲା କରିଥିଲେ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦୀ । ଏହି ମାମଲାର ଶୁଣାଣି କରି ଗତ ମାର୍ଚ୍ଚ ୨୩ ତାରିଖରେ ରାହୁଲଙ୍କୁ ଦୁଇ ବର୍ଷ ସଜ୍ଜା ଶୁଣାଇଥିଲେ ସୁରଟ କୋର୍ଟ । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।