କନକ ବ୍ୟୁରୋ: ଆଜିଠୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ । ମଣିପୁରରୁ ମୁମ୍ବାଇ ଯାଏଁ ୬୭ ଦିନ ଧରି ୧୫ ରାଜ୍ୟର ୧୧୦ ଜିଲ୍ଲା ଦେଇ ଯିବ ରାହୁଲଙ୍କ ଏହି ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ଭାଗ । ଦୁଇ ମାସର ଯାତ୍ରାରେ ରାହୁଲ ଗାନ୍ଧୀ ଭାରତର ପୂର୍ବାଞ୍ଚଳରୁ ଭାରତର ପଶ୍ଚିମାଞ୍ଚଳକୁ ୬ ହଜାର ୬୦୦ କିଲୋମିଟର ଯାତ୍ରା କରିବେ ।
ଆଜି ମଧ୍ୟାହ୍ନ ୧୨ଟାରେ ମଣିପୁର ସ୍ଥିତ ଖୋଙ୍ଗଜୋମ ଯୁଦ୍ଧ ସ୍ମାରକୀରୁ ଏହି ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ପ୍ରଥମେ ଏହି ଯାତ୍ରା ଇମ୍ଫାଲରୁ ଆରମ୍ଭ ହେବ ବୋଲି ଘୋଷଣା ହୋଇଥିଲା । ହେଲେ ମଣିପୁର ସରକାର ଅନୁମତି ନଦେବାରୁ ଏବେ ଖୋଙ୍ଗଜୋମ ଯୁଦ୍ଧ ସ୍ମାରକୀରୁ ଏହି ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଯାତ୍ରାର ଆରମ୍ଭ ସ୍ଥାନ ବଦଳିଥିଲେ ମଧ୍ୟ ରୁଟରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।
କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଏହି ଯାତ୍ରା ଗତ ୧୦ ବର୍ଷରେ ହୋଇଥିବା ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଅନ୍ୟାୟକୁ ଆଖିରେ ରଖି ବାହାର କରାଯାଉଛି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅମୃତକାଳର ସୁନେଲୀ ସ୍ୱପ୍ନ ଦେଖାଉଛନ୍ତି, କିନ୍ତୁ ଗତ ୧୦ ବର୍ଷ ହେଉଛି ଭାରତ ପାଇଁ ଅନ୍ୟାୟ କାଳ । ତେଣୁ ଜନସେଚତନା ପାଇଁ ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରା ରାହୁଲ ଗାନ୍ଧୀ କରୁଥିବା କହିଛନ୍ତି ଜୟରାମ ରମେଶ ।