ପୁଣି ରାହୁଲଙ୍କ ମନ୍ଦିର ରାଜନୀତି ! ମଧ୍ୟପ୍ରଦେଶ ଗସ୍ତରେ ମା’ ପୀତାମ୍ବରୀଙ୍କୁ ଧୋତି ପିନ୍ଧି କଲେ ଦର୍ଶନ, ସେପଟେ ରାହୁଲଙ୍କୁ ଟାର୍ଗେଟ୍ କଲେ ବିଜେପି ନେତା ।

67

କନକ ବ୍ୟୁରୋ : ୨ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବୁନ୍ଦେଲଗଡ଼ କ୍ଷେତ୍ର ଦତିୟାରେ ଶ୍ରୀ ପିତାମ୍ବରୀ ପୀଠରୁ ମଧ୍ୟପ୍ରଦେଶ ଗସ୍ତ ଆରମ୍ଭ କରିଛନ୍ତି ରାହୁଲ । ସେଠାରେ ରାହୁଲ ଭଗବା ଧୋତି ପିନ୍ଧି ମାଆ ପୀତାମ୍ବରୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ହେଲିକପ୍ଟରରେ ଯାଇ ଦିତୀୟା ଷ୍ଟାଡ଼ିୟମରେ ପହଁଚିଥିଲେ ରାହୁଲ । ଏଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧି ।

ଏହା ପରେ ରାହୁଲ ଗ୍ୱାଲିୟରରେ ମାଧବ ରାଓ ସିନ୍ଧିୟାଙ୍କ ସମାଧି ସ୍ଥଳକୁ ଯାଇ ଶ୍ରଦ୍ଧାଂଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ୪ ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଘୋଷଣା ହେବା ପରେ ରାହୁଲ ନିର୍ବାଚନୀ ପ୍ରଚାର ପାଇଁ ଜୋରଦାର ଗସ୍ତ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ମଧ୍ୟପ୍ରଦେଶ ଗସ୍ତରେ ରାହୁୁଲ ରୋଡ଼ ଶୋ ମଧ୍ୟ କରିବେ । ଅନ୍ୟପଟେ ବିଜେପି ଅମିତ ଶାହା ମଧ୍ୟ ଆଜି ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି ।

ସେପଟେ ରାହୁଲଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି ରାଜସ୍ଥାନର ଜଣେ ମନ୍ତ୍ରୀ । ପାକିସ୍ତାନ ରାଫେଲ ଯୁଦ୍ଧ ବିମାନ ହାଲ କରିପାରି ନଥିବାରୁ ରାହୁଲ ଗାନ୍ଧିଙ୍କ ପେଟ ବ୍ୟଥା ବଢିଯାଇଛି ବୋଲି କହିଛନ୍ତି ରାଜସ୍ଥାନର ମନ୍ତ୍ରୀ ଜସୱନ୍ତ ସିଂହ ଯାଦବ । ଏକ ସଭାରେ ଭାଷଣ ଦେବା ଅବସରରେ ଏପରି କହିଛନ୍ତି ରାଜସ୍ଥାନର ଏହି କ୍ୟାବିନେଟ୍ ମନ୍ତ୍ରୀ । ସେ କହିଛନ୍ତି ଯେ ପାକିସ୍ତାନ ରାଫେଲ ଯୁଦ୍ଧ ବିମାନ ହାଲ କରୁ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାହୁଁଥିଲେ । କିନ୍ତୁ ମୋଦି ଏହାକୁ ହାସଲ କରିନେବାରୁ ରାହୁଲ ହିନ୍ଦୁ ମାନଙ୍କୁ ଆତଙ୍କବାଦୀ ବୋଲି କହୁଛନ୍ତି ।

ଏହା ସହ ରାଜସ୍ଥାନର ମନ୍ତ୍ରୀ ତଥା ବିଜେପି ନେତା ଜସୱନ୍ତ ସିଂହ କହିଛନ୍ତି ଯେ ରାହୁଲ ପାକିସ୍ତାନର ଲୋକଙ୍କୁ ଖୁସି କରିବାକୁ ଚାହୁଁଛନ୍ତି । ଯେଉଁଥି ପାଇଁ ହିନ୍ଦୁସ୍ତାନୀଙ୍କୁ ଆତଙ୍କବାଦୀ କହିବାକୁ ପଛାଉ ନାହାଁନ୍ତି । ଏହା ସହ ରାଫେଲ ଚୁକ୍ତି ପ୍ରସଙ୍ଗରେ ରାହୁଲ ମୋଦିଙ୍କୁ ଚୋର କହୁଥିବାରୁ ଏହାକୁ ନେଇ ମଧ୍ୟ ଟାର୍ଗେଟ୍ କରିଛନ୍ତି ରାଜସ୍ଥାନର ଏହି ମନ୍ତ୍ରୀ । ସେ କହିଛନ୍ତି ଯେ ରାହୁଲ ସମ୍ପୂର୍ଣ୍ଣ ମିଛ କହୁଛନ୍ତି । ମୋଦି ଚୋର ନୁହଁନ୍ତି, ବରଂ ରାହୁଲ ଗାନ୍ଧିଙ୍କ ବାପ-ଅଜା ଚୋର ବୋଲି କହିଛନ୍ତି ଜସୱନ୍ତ ସିଂହ ଯାଦବ ।