କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ ସବୁବେଳେ ଚର୍ଚ୍ଚାରେ ରହିଛି । କେବେ ଟ୍ରକରେ ବସି ଭ୍ରମଣ କରିବା ତ ପୁଣି କେବେ ଗ୍ୟାରେଜରେ ବସି ଗାଡି ସଜାଡିବା । ଏହାସହ ଗତକାଲି ରେଲୱେ କୁଲିଙ୍କ ସହ ମିଶି ମୁଣ୍ଡରେ ଭାର ଉଠାଉଥିବା ଚିତ୍ର ତ ଆଜି କଲେଜ ଛାତ୍ରୀଙ୍କ ସ୍କୁଟିରେ ବସି ସଭାସ୍ଥଳକୁ ଯିବାର ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Advertisment

ନିଆରା ହେବାକୁ ଚେଷ୍ଟା ଚଳାଇଛନ୍ତି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍ ଜୟପୁରର ମହାରାଣୀ କଲେଜରେ ପହଂଚିଥିଲେ । ଏନେଇ ଆଗରୁ କୌଣସି ସୂଚନା ନଥିବା କଥା ସ୍ପଷ୍ଟ କରିଛନ୍ତି ମହାରାଣୀ କଲେଜର ଅଧ୍ୟକ୍ଷ ନିମାଲୀ ସିଂ । କଲେଜରେ ସ୍କୁଟି ବିତରଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାହୁଲ ଗାନ୍ଧୀ ହଠାତ କଲେଜ ଭିତରକୁ ପ୍ରବେଶ କରିଥିଲେ । ସେଠାରେ ସେ କଲେଜର ଛାତ୍ରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାପରେ ସେ ଜଣେ ଛାତ୍ରୀଙ୍କ ସ୍କୁଟିରେ ବସି ସଭାସ୍ଥଳକୁ ଯାଇଥିଲେ ।

ବିନା ସୂଚନାରେ ହଠାତ ରାହୁଲ ଗାନ୍ଧୀ କଲେଜରେ ପହଂଚିଥିଲେ । ସେଠାରେ ସେ ଛାତ୍ରୀମାନଙ୍କୁ ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଥିଲେ । ଏହାପରେ ରାହୁଲ ଗାନ୍ଧୀ ଅନେକ ମହିଳା କନେଷ୍ଟବଳଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ସବୁଠାରୁ ବଡକଥା ଯେଉଁ ସଭାକୁ ରାହୁଲ ଗାନ୍ଧୀ ସମ୍ବୋଧନ କରିଥିଲେ ସେହି ସଭାରେ ପାର୍ଟିର ଜଣେ ସାଧାରଣ ଜିଲ୍ଲା ଅଧ୍ୟକ୍ଷଙ୍କ କହିବାର ସୁଯୋଗ ଦେଇ ସେ ତାଙ୍କର ବଡପଣ ଦେଖାଇଥିଲେ । ଏହି ସଭାରେ ରାହୁଲ କହିଥିଲେ କି କଂଗ୍ରେସ କଥାରେ ନୁହେଁ ବରଂ କାମରେ କରିଦେଖାଇଥାଏ । ଏହାସହ ମହିଳାଙ୍କ ସଶକ୍ତ କରିବାରେ କଂଗ୍ରେସ ସରକାର ସବୁଠାରୁ ଆଗରେ ଥିବା କଥା ସେ କହିଛନ୍ତି ।

ସୂଚନା ମୁତାବକ ମହାରାଣୀ କଲେଜରେ ୨୦୧୪ ପରେ କୌଣସି ବଡ ନେତାଙ୍କ ପାଦ ପଡିନଥିଲା । ବହୁବର୍ଷ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରାରାଜେ ସିନ୍ଧିଆ ଓ ଏବେର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯାଇଥିବା କଥା କୁହାଯାଉଛି ।