କନକ ବ୍ୟୁରୋ : ଦୁଇ ଦିନିଆ ଜାମ୍ମୁ-କାଶ୍ମୀର ଗସ୍ତରେ ରାହୁଲ ଗାନ୍ଧୀ । ଘାଟିରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ଜାମ୍ମୁ-କାଶ୍ମୀରରେ ପହଂଚିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଗତକାଲି ସଂଧ୍ୟାରେ ସେ ବିମାନବନ୍ଦରରେ ପହଂଚିବା ପରେ ପ୍ରଦେଶ ସଭାପତିଙ୍କ ପୁଅ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ଆଜି ସକାଳୁ ଶ୍ରୀନଗରରେ ମନ୍ଦିର, ମସଜିଦ, ଗୁରୁଦ୍ୱାରା ଓ ମଝାର ବୁଲିଛନ୍ତି ।

Advertisment

ପ୍ରଥମେ ସେ ଶ୍ରୀନଗରରେ ବଭାନୀ ମାତାଙ୍କ ମନ୍ଦିରରେ ପହଂଚି ମାଆଙ୍କ ଦର୍ଶନ କରିଥିଲେ । ଏହାପରେ ଡାଲ ହ୍ରଦ କୂଳରେ ଥିବା ହଜରତବଲ ଦରଘାରେ ପହଂଚିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହାପରେ ଶ୍ରୀନଗରରେ ଥିବା ଗୁରୁଦ୍ୱାରା ଓ ଏକ ମଝାରରେ ମଧ୍ୟ ପହଂଚିଥିଲେ ରାହୁଲ । ଦିନ ସାଢେ ୧୧ଟାରେ ଶ୍ରୀନଗର ଏମଡି ରୋଡରେ ନବନିର୍ମିତ କଂଗ୍ରେସ ଭବନକୁ ଉଦଘାଟନ କରିଛନ୍ତି ରାହୁଲ ଗାନ୍ଧୀ । ଘାଟିରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପ୍ରଥମଥର ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଛନ୍ତି ରାହୁଲ ଗାନ୍ଧୀ । ପ୍ରଦେଶ କଂଗ୍ରେସ ସଭାପତି ଜିଏ ମିରଙ୍କ ପୁଅ ବିବାହ ଉତ୍ସବରେ ସାମିଲ ହେବା ସହ ଡିନର ପଲିଟିକ୍ସ କରିଛନ୍ତି ରାହୁଲ ।

କୁହାଯାଉଛି ଏହି ବିବାହ ଉତ୍ସବକୁ ଘାଟିରେ ସମସ୍ତ ବିରୋଧୀ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଯେଉଁଠାରେ ରାହୁଲ ଗାନ୍ଧୀ ରାତ୍ରୀ ଭୋଜନ ସମୟରେ ଆଗାମୀ ରାଜନୈତିକ କାର୍ଯ୍ୟପନ୍ଥା ନେଇ ବିରୋଧୀ ନେତାଙ୍କ ସହ ଚର୍ଚ୍ଚା ମଧ୍ୟ କରିଛନ୍ତି । କୁହାଯାଉଛି ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀମାନଙ୍କୁ ଏକାଠି କରିବା ସହ ଦଳୀୟ କନ୍ଦଳକୁ ଦୂର କରିବାକୁ ପ୍ରୟାସ କରିବେ ରାହୁଲ ଗାନ୍ଧୀ ।