୨୦୧୯ରେ ଆସିବ କି ରାହୁଲଙ୍କ ରାଜ ? କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତିଙ୍କ ବଡ ବୟାନ । କହିଲେ, ୨୦୧୯ ନିର୍ବାଚନରେ କଂଗ୍ରେସ ସବୁଠାରୁ ବଡ ଦଳ ଭାବେ ଉଭାହେଲେ ସେ ହେବେ ପ୍ରଧାନମନ୍ତ୍ରୀ

49

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ରହିଛି ବୋଲି ସର୍ବସାଧାରଣରେ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ୨୦୧୯ ନିର୍ବାଚନରେ ଯଦି କଂଗ୍ରେସ ସବୁଠାରୁ ବଡ ଦଳ ଭାବେ ଉଭା ହୁଏ , ତେବେ ସେ ପ୍ରଧାନମନ୍ତ୍ରୀ ହେବେ ବୋଲି ରାହୁଲ ଏକ ପ୍ରଶ୍ନର ଉତରରେ କହିଛନ୍ତି । ଏଥିସହ ୨୦୧୯ରେ ବିଜେପି ହାରିବ ଏବଂ ମୋଦି ମଧ୍ୟ ବାରାଣସୀରୁ ହାରିବେ ବୋଲି କହିଛନ୍ତି ରାହୁଲ ।

ଦେଶର ସବୁଠାରୁ ପୁରୁଣା, ୧୨୫ ବର୍ଷର କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ କର୍ଣ୍ଣାଟକ ନିର୍ବାଚନ, ରାହୁଲ ଗାନ୍ଧିଙ୍କ ପାଇଁ ଏସିଡ୍ ଟେଷ୍ଟ ହେବାକୁ ଯାଉଛି । ଏବଂ ମୋଦି ଭଳି ଜଣେ ଲୋକପ୍ରିୟ ନେତାଙ୍କୁ ମୁକାବିଲା କରି ରାହୁଲ ଗାନ୍ଧି ଏହି ଟେଷ୍ଟ ଦେବାକୁ ଯାଉଛନ୍ତି । ଯାହା ତାଙ୍କ ପାଇଁ ସେତେ ସହଜ ବି ନୁହେଁ । ତେବେ ଏସବୁ ଭିତରେ ରାହୁଲଙ୍କ ଏହି ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ମୁତାବକ, କର୍ଣ୍ଣାଟକରେ ସମୃଦ୍ଧ ଭାରତ ନାମକ କଂଗ୍ରେସର ଏକ ଆଲୋଚନା ଭିତିକ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ପଦକୁ ନେଇ ତାଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ, ୨୦୧୯ ନିର୍ବାଚନରେ କଂଗ୍ରେସ ଯଦି ସବୁଠାରୁ ବଡ ଦଳ ହୋଇ ଉଭା ହୁଏ ତେବେ, ସେ ପ୍ରଧାନମନ୍ତ୍ରୀ ହେବେ । ଏହି କାର୍ଯ୍ୟକ୍ରମରେ ରାହୁଲ ଦୃଢକ୍ତି ପ୍ରକାଶ କରି କହିଛନ୍ତି, ୨୦୧୯ରେ ବିଜେପି ହାରିବାକୁ ଯାଉଛି ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରୁ ହାରିବେ । ଉତରପ୍ରଦେଶର ଦୁଇଟି ଉପନିର୍ବାଚନ ଏହା ସୂଚାଉଛି ବୋଲି କହିଛନ୍ତି ରାହୁଲ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ଥିବା ବେଳେ ବିଜେପି ଓ ମୋଦିଙ୍କୁ ଟାର୍ଗେଟ୍ ଜାରି ରଖିଛନ୍ତି ରାହୁଲ । ଦୁର୍ନୀତି ବିରୋଧୀ ନାରା ଦେଉଥିବା ମୋଦି, କର୍ଣ୍ଣାଟକର ସବୁଠୁ ଦୁର୍ନୀତିଗ୍ରସ୍ତ ନେତା, ୟେଦୁରପ୍ପାଙ୍କୁ କିଭଳି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଆଉ ସେପଟେ ପ୍ରଧାନମନ୍ତ୍ରୀ ମୋଦି ବି କଂଗ୍ରେସ ଉପରେ ଜୋରଦାର ପ୍ରହାର କରିଛନ୍ତି । କର୍ଣ୍ଣାଟକ କୁରୁକ୍ଷେତ୍ର ୨୦୧୯ ନିର୍ବାଚନ ପୂର୍ବରୁ ଏକ ବଡ ସଙ୍କେତ ଦେବାକୁ ଯାଉଛି । ସେହି ସଙ୍କେତ ହେଉଛି, ସବୁଠାରୁ ବଡ ସାଧାରଣ ନିର୍ବାଚନ ପୂର୍ବରୁ ଜନତା କାହା ଆଡକୁ ଢଳୁଛନ୍ତି ।