ଲକ୍ଷ୍ମୀପୁର ହିଂସା, କଂଗ୍ରେସକୁ ନେଇ ବିଜେପି ପ୍ରବକ୍ତା ସମ୍ବିତ ପାତ୍ରା କହିଲେ ଏମିତି କଥା

321

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ମାମଲା ଏବେ ସାରା ଦେଶର ରାଜନୈତିକ ମାହୋଲକୁ ସରଗରମ କରି ରଖିଛି । ଆନ୍ଦୋଳନରତ କୃଷକମାନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ହତ୍ୟା କରିବା ଅଭିଯୋଗ ଆସିବା ପରେ ଏବେ ଲକ୍ଷ୍ମୀପୁର ଦେଶର ରାଜନୈତିକ ରାଜଧାନୀ ପାଲଟି ଯାଇଛି । ଦେଶର ସବୁ ରାଜନୈତିକ ଦଳର ନେତାମାନେ ଏବେ ଲକ୍ଷ୍ମୀପୁର ପହଂଚି ମୃତ କୃଷକଙ୍କ ପରିବାରକୁ ସମବେଦନା ଜଣାଇବାକୁ ଚାହୁଁଥିବା ବେଳେ ବାଟରୁ ସେମାନଙ୍କୁ ପୋଲିସ ଅଟକାଉଛି । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନୀ ଉଡା ଜାହାଜ ସହାୟତାରେ ଏବେ ଲକ୍ଷ୍ମୀପୁର ଗସ୍ତ କରିଛନ୍ତି ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଖ ପ୍ରକାଶ କରିବା ସହ କହିଛନ୍ତି କି ଘଟଣାକୁ ୭୨ ଘଂଟା ପୁରିଯାଇଥିଲେ ବି କୌଣସି ଅପରାଧୀଙ୍କୁ ପୋଲିସ ଗିରଫ ନକରିବା ବିଜେପି ସରକାରର ଅଭିମୁଖ୍ୟ ସ୍ପଷ୍ଟ କରୁଛି । ଏବେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଲୋକଙ୍କୁ ବଞ୍ଚାଇ ବାକୁ ପୁରା ସିଷ୍ଟମ ଲାଗିପଡିଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି ।

ଲକ୍ଷ୍ମୀପୁର ହିଂସା ମାମଲାରେ ଏବେ ନେତା ମାନଙ୍କ ଭିତରେ ବୟାନବାଜି ଜାରି ରହିଛି । ବିଜେପି ପ୍ରବକ୍ତା ସମ୍ବିତ ପାତ୍ରା କହିଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ ରାଜନୈତିକ ଫାଇଦା ଉର୍ଦ୍ଦେଶ୍ୟରେ ସେଠାକୁ ଯିବାକୁ ପ୍ରୟାସ କରିଛନ୍ତି  ନଚେତ ପୀଡିତଙ୍କ ପରିବାର ସହ ତାଙ୍କର କୌଣସି ସଂପର୍କ ନାହିଁ । ରାହୁଲ ଗାନ୍ଧୀ ଶାନ୍ତିଭଙ୍ଗ କରୁଛନ୍ତି ।