ପୁଅ ରାହୁଲଙ୍କ ସହ ପଦଯାତ୍ରାରେ ସାମିଲ ହେଲେ ମା’ ସୋନିଆ । ରାସ୍ତା ମଝିରେ ମା’ଙ୍କ ଜୋତାର ଫିତା ବାନ୍ଧିଦେଲେ ରାହୁଲ ।

244

କନକ ବ୍ୟୁରୋ : ମିଶନ ୨୦୨୪ ପାଇଁ ଆକ୍ସନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଗୁରୁବାର ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ସୋନିଆ । କର୍ଣ୍ଣାଟକ ମାଣ୍ଡ୍ୟାରେ ଭାରତ ଯୋଡୋ଼ ଯାତ୍ରାରେ ସାମିଲ ହୋଇଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହି ପଦଯାତ୍ରା ସମୟରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । କେତେବେଳେ ରାହୁଲ ନିଜ ମା’ଙ୍କ କାନ୍ଧରେ ହାତ ରଖି ଆଗକୁ ବଢୁଥିଲେ ତ ପୁଣି କେତେବେଳେ ମା’ଙ୍କ ଜୋତାର ଫିତା ବାନ୍ଧିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଫଟୋ ଦେଖିବା ପରେ ଲୋକମାନେ ମଧ୍ୟ ରାହୁଲଙ୍କୁ ବେଶ ପ୍ରଶଂସା କରିଛନ୍ତି । ଆଉ ଏହି ଫଟୋ ଏବେ ଶଶୀ ଥରୁର ନିଜ ଟ୍ୱିଟ୍ ପେଜରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ସିଏ ନିଶ୍ୱାସ ନେଲେ ବି ଏଥିରେ ଆର୍ଶୀବାଦ ଭରି ରହିଥାଏ । କାରଣ ମା’ ତ ମା’ ହିଁ, ମା’ ଠାରୁ ଆଉ କେହି ବଡ ନୁହେଁ ।

ସୋନିଆ ଗାନ୍ଧୀ ପଦଯାତ୍ରାରେ ସେତେବେଳେ ସାମିଲ ହୋଇଛନ୍ତି ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ଦିନ ପରେ ପଦଯାତ୍ରାରେ ସୋନିଆ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । କାରଣ ସ୍ୱାସ୍ଥ୍ୟଗତ କାରଣରୁ ଦୀର୍ଘଦିନ ହେବ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ ସୋନିଆ ଗାନ୍ଧୀ । ତେବେ ବିଦେଶରୁ ଚିକିତ୍ସିତ ହୋଇ ଫେରିବା ପରେ ପ୍ରଥମ ଥର ପାଇଁ ପଦଯାତ୍ରାରେ ସାମିଲ ହୋଇଛନ୍ତି ସୋନିଆ ଗାନ୍ଧୀ । ତେଣୁ କଂଗ୍ରେସ ପାଇଁ ଏହି ପଦଯାତ୍ରା କେତେ ଗୁରୁତ୍ୱପୂର୍ଣ୍ଣ ତାହା ସୋନିଆଙ୍କ ପଦଯାତ୍ରାରେ ସାମିଲ ହେବା ପରେ ସ୍ପଷ୍ଟ ହୋଇଛି ।

ସୋନିଆ ଗାନ୍ଧୀ ଏହି ପଦଯାତ୍ରାରେ ସାମିଲ ହେବାକୁ ସୋମବାରଠୁ ମହୀଶୂରରେ ପହଂଚିଯାଇଥିଲେ । ଦଶହରା ପାଇଁ ଦୁଇ ଦିନ ବିରତି ନେଇ ତାପରେ ଆଜି ଗୁରୁବାର ପଦଯାତ୍ରାରେ ସାମିଲ ହୋଇଛନ୍ତି । ଏହି ଯାତ୍ରା ମାଣ୍ଡ୍ୟାରୁ ଆରମ୍ଭ ହୋଇ ପାଣ୍ଡବପୁରାର କେଏସଆରଟିସି ବସ ଷ୍ଟେସନ ନିକଟରେ ଶେଷ ହୋଇଛି ।