ଯିଏ ଅଚ୍ଛେଦିନ ଆସିବ ବୋଲି କହୁଥିଲେ ସେମାନେ କୁଆଡେ ଗଲେ? ଟ୍ୱିଟ୍ କରି ମୋଦୀ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ ।

122

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ଦ୍ରୁତ ଗତିରେ ବଢୁଥିବା ଦାରିଦ୍ର୍ୟତା ସର୍ଭେ ରିପୋର୍ଟକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ । ଟ୍ୱିଟ୍ କରି ରାହୁଲ କହିଛନ୍ତି, ଯିଏ ପୂର୍ବରୁ ମଧ୍ୟବର୍ଗ ଥିଲେ ସେମାନେ ଏବେ ଗରିବ, ଯେଉଁ ମାନେ ଗରିବ ଥିଲେ ସେମାନଙ୍କ ଅବସ୍ଥା ଶୋଚନୀୟ । କୁଆଡେ ଗଲେ ସେହି ଲୋକ ଯେଉଁମାନେ କହୁଥିଲେ ଆଚ୍ଛା ଦିନ ଆସିବ ବୋଲି ।

ଟ୍ୱିଟ୍ ସେୟାର କରି ରାହୁଲ ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆଣିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଯେ, ଗତ ୮ ବର୍ଷ ମଧ୍ୟରେ ଭାରତରେ ଦ୍ରୁତ ଗତିରେ ଗରିବଙ୍କ ସଂଖ୍ୟା ବଢିଛି, ଏଭଳି ଦ୍ରୁତ ଗତିରେ ଗରିବଙ୍କ ସଂଖ୍ୟା ବୃଦ୍ଧି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ।

ଏବେ ଦେଶରେ ଲଗାତାର ମହଙ୍ଗା ଓ ବେରୋଜଗାରୀ ବଢି ଚାଲିଛି । ଆଉ ଏହାକୁ ନେଇ ସାଧାରଣ ଲୋକ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହଙ୍ଗା ମାଡରେ ଦେଶବାସୀ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି । ପରିବା ଠାରୁ ଆରମ୍ଭ କରି ପେଟ୍ରୋଲର ଦର ସାଧାରଣ ଲୋକଙ୍କ ପକେଟ ଫାଙ୍କା କରି ଦେଉଛି । ମଧ୍ୟବିତ୍ତଙ୍କ ବଜେଟ ବିଗିଡି ଯାଉଛି । ଏହାସହ ରୋଷେଇ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ସାଧାରଣ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏସବୁ ଭିତରେ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି ସରକାର । ବାରମ୍ବାର ବିରୋଧୀ କହି ଆସିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ବିକାଶର ଗାଡି ଏବେ ରିଭର୍ସ ଗିୟରରେ ରହିଛି ଓ ବ୍ରେକ ମଧ୍ୟ ଫେଲ ହୋଇଯାଇଛି । ତେଣୁ ମହଙ୍ଗା ମାଡରୁ ସହଜରେ ମୁକ୍ତି ମିଳିବନି । ଏପରିକି ଶିବସେନାର ନେତା ସଞ୍ଜୟ ରାୱତ କହିଥିଲେ, ଯଦି ପେଟ୍ରୋଲ ଓ ଡିଜେଲ ଦର ୫୦ ଟଙ୍କାରୁ କମରେ ଚାହୁଁଥାନ୍ତି ତେବେ ବିଜେପିକୁ ବିତାଡିତ କରିବାକୁ ପଡିବ ।