କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍ । କହିଲେ, ଯଦି ଟ୍ରମ୍ପଙ୍କ ବୟାନ୍ ସତ ତେବେ ଦେଶର ସ୍ୱାର୍ଥ ସହ ପ୍ରତାରଣ କରିଛନ୍ତି ମୋଦି ।

454

କନକ ବ୍ୟୁରୋ : କାଶ୍ମୀରକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତତା ରହିଥିବା ବେଳେ ଏହାରି ମଧ୍ୟରେ ବଡ ବୟାନ୍ ରଖିଛନ୍ତି ରାହୁଲ ଗାନ୍ଧି । କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ରାହୁଲ କହିଛନ୍ତି ଯଦି ଟ୍ରମ୍ପଙ୍କ ମନ୍ତବ୍ୟ ସତ ହୋଇଥାଏ, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସ୍ୱାର୍ଥ ସହ ପ୍ରତାରଣା କରିଛନ୍ତି ।

ଟ୍ୱିଟ୍ କରି ରାହୁଲ ଲେଖିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଟ୍ରମ୍ପକୁ ଅନୁରୋଧ କରିଥିଲେ । ଯଦି ଟ୍ରମ୍ପଙ୍କ ଏହି ମନ୍ତବ୍ୟ ସତ ହୋଇଥାଏ, ତେବେ ଭାରତର ସ୍ୱାର୍ଥ ସହ ପ୍ରତାରଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ୧୯୭୨ ସିମଲା ଚୁକ୍ତିର ମଧ୍ୟ ଉଲ୍ଲଂଘନ କରିଛନ୍ତି । ତେବେ ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ କେବଳ ବୈଦେଶିକ ମନ୍ତ୍ରାଳୟ ଖଣ୍ଡନ କଲେ ହେବ ନାହିଁ, ବରଂ ଏହି ପ୍ରସଙ୍ଗରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ରଖନ୍ତୁ । ଆମେରିକା ରାଷ୍ଟ୍ରପତିଙ୍କ ସହ ବୈଠକରେ ମୋଦି କ’ଣ ଆଲୋଚନା କରିଛନ୍ତି ତାହା ମଧ୍ୟ ଦେଶକୁ ଜଣାନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ରାହୁଲ ଗାନ୍ଧି ।

ତେବେ କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ବିବାଦ ଆରମ୍ଭ ହୋଇଛି । ଟ୍ରମ୍ପ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବା ବେଳେ ଟ୍ରମ୍ପ ଏହା କହିଛନ୍ତି । ସେ କହିଛନ୍ତି ଯେ, ପ୍ରାୟ ଦୁଇ ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ବେଳେ କାଶ୍ମୀର ପ୍ରସଙ୍ଗ ଉଠିଥିଲା, ଆଉ ସେତେବେଳେ ମଧ୍ୟସ୍ଥତା କରିବାକୁ ମୋଦି ପଚାରିଥିବା ଟ୍ରମ୍ପ କହିଛନ୍ତି ।