ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟକୁ ନେଇ ମୁହଁ ଖୋଲିଲେ ରାହୁଲ । କହିଲେ, କଂଗ୍ରେସ ଶାସିତ ରାଜ୍ୟକୁ ଅସ୍ଥିର କରିବାକୁ ପ୍ରୟାସ କରୁଛି ପିଏମଓ ,ଜ୍ୟୋତିରାଦିତ୍ୟଙ୍କ ପ୍ରସଙ୍ଗରେ ପଦୁଟିଏ କହିଲେନି ।

506

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ସଂକଟକୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଟ୍ୱିଟ୍ କରି ରାହୁଲ କହିଛନ୍ତି, କଂଗ୍ରେସ ଶାସିତ ରାଜ୍ୟକୁ ଅସ୍ଥିର କରିବାକୁ ପିଏମଓ ପ୍ରୟାସ କରୁଥିବା ବେଳେ ପୂରା ବିଶ୍ୱରେ ଅଶୋଧିତ ତେଲ ଦର ହ୍ରାସ ପାଉଥିଲେ ମଧ୍ୟ ଏହାପ୍ରତି ଧ୍ୟାନ ଦେଇନାହିଁ । କଣ ଆପଣ ପେଟ୍ରୋଲର ଦର ୬୦ ଟଙ୍କାକୁ ହ୍ରାସ କରି ଭାରତର ସାଧାରଣ ଲୋକଙ୍କୁ ଲାଭ ପ୍ରଦାନ କରିପାରିବେ । ଏହାଦ୍ୱାରା ଭାରତର ଅର୍ଥବ୍ୟବସ୍ଥା ସୁଦୃଢ ହେବ ।

ତେବେ ଜ୍ୟୋତିରାଦିତ୍ୟଙ୍କ କଂଗ୍ରେସ ଛାଡିବା ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି ରାହୁଲ । ସଂସଦ ଭବନରେ ରାହୁଲ ପହଞ୍ଚିବା ପରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ଜ୍ୟୋତିରାଦିତ୍ୟଙ୍କ ବାବଦରେ ଜାଣିବାକୁ ଚାହିଁଥିଲେ ସେତେବେଳେ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ ରାହୁଲ ।

ଗତକାଲି ହୋଲିରେ କଂଗ୍ରେସକୁ ବଡ ଝଟକା ଦେଇଥିଲେ ଜ୍ୟୋତିରାଦିତ୍ୟ । କଂଗ୍ରେସ ସହ ଦୀର୍ଘ ୧୮ ବର୍ଷର ସମ୍ପର୍କ ତୁଟାଇ ଦଳରୁ ଇସ୍ତଫା ଦେଇଥିଲେ ଜ୍ୟୋତିରାଦିତ୍ୟ । କେବଳ ଜ୍ୟୋତିରାଦିତ୍ୟ ନୁହଁନ୍ତି ବରଂ ଦଳର ୨୨ ବିଧାୟକ ମଧ୍ୟ ନିଜ ଇସ୍ତଫାପତ୍ର ଦେଇଥିଲେ । ଆଉ ଏହାସହ ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ବଡ ସଙ୍କଟ ମାଡି ଆସିଛି । କିଭଳି ସରକାରକୁ ବଞ୍ଚାଇବେ ତାହା ଏବେ କମଲନାଥଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଏଭଳି ସ୍ଥିତିରେ ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜର ବିଧାୟକ ମାନଙ୍କୁ ମଧ୍ୟପ୍ରଦେଶରୁ ଅନ୍ୟ ସ୍ଥାନକୁ ପଠାଇଛି । କଂଗ୍ରେସ ନିଜର ବିଧାୟକ ମାନଙ୍କୁ ଜୟପୁର ପଠାଇଥିବା ବେଳେ ବିଜେପି ନିଜର ୧୦୬ ବିଧାୟକଙ୍କୁ ଗୁଡଗାଓଁକୁ ପଠାଇଛି ।