କନକ ବ୍ୟୁରୋ : ବେରୋଜଗାରୀ ଓ ଦରବୃଦ୍ଧିକୁ ନେଇ ଆଜି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରୁଛି । ଆଉ ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେନ୍ଦ୍ର ସରକାର ଏବେ ଏକଛତ୍ରବାଦୀ ଶାସନ ଚଳାଇଛନ୍ତି । ଦେଶରେ ଏବେ ଲୋକତନ୍ତ୍ର ନାହିଁ, ଲୋକତନ୍ତ୍ର କିଛି ଦିନ ମଧ୍ୟରେ ଇତିହାସ ପାଲଟିଯିବ । ସଂସଦରେ ଏନେଇ ଆଲୋଚନା କରିବାକୁ ଦିଆଯାଉ ନାହିଁ ବରଂ ସ୍ୱର ଉଠାଇଲେ ଗିରଫ କରାଯାଉଛି ।

Advertisment

ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନବାଣ ମାରୁଥିଲେ ମଧ୍ୟ ଏହାର ପ୍ରଭାବ ଯେପରି ସରକାରଙ୍କ ଉପରେ ଟିକିଏ ବି ଦେଖିବାକୁ ମିଳୁନାହିଁ । କାରଣ ଦେଶର ସମସ୍ତ ସଂସ୍ଥା ଉପରେ ସରକାର କବଜା କରି ସାରିଲେଣି । ପ୍ରତି ସଂସ୍ଥାରେ ଆରଏସଏସର ବ୍ୟକ୍ତିଙ୍କୁ ବସାଯାଉଛି । ଯେଉଁମାନଙ୍କ ନିର୍ଦ୍ଦେଶରେ ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କିନ୍ତୁ ଆମେ ସରକାରରେ ଥିବା ସମୟରେ ସଂସ୍ଥାକୁ ସ୍ୱତନ୍ତ୍ର ଛଡାଯାଇଥିଲା । କେବଳ ରାଜନୈତିକ ଦଳ ମଧ୍ୟରେ ଲଢେଇ ହେଉଥିଲା । କିନ୍ତୁ ଏବେ ସରକାରଙ୍କ ବିରୋଧରେ ମୁହଁ ଖୋଲିଲେ କେନ୍ଦ୍ରୀୟ ଏଜେନ୍ସିକୁ ପଛରେ ଲଗାଇ ଦିଆଯାଉଛି । ଯାହା ବିରୋଧରେ କଂଗ୍ରେସ ଲଢେଇ ଆରମ୍ଭ କରିଛି ।
ବେରୋଜଗାରୀ ଓ ଦରଦାମ ବୃଦ୍ଧିକୁ ସରକାର ମୁହଁ ଖୋଲୁନାହାନ୍ତି । କୋଭିଡ ମୃତ୍ୟୁକୁ ନେଇ ମିଛ କହୁଛନ୍ତି । ଆଉ ଏହି ସତ ଲୋକଙ୍କ ସାମ୍ନାକୁ ଆଣିଲେ ସରକାରଙ୍କ ରୋଷର ଶିକାର ହେବାକୁ ପଡୁଛି । କିନ୍ତୁ ମୁଁ ଲୋକତନ୍ତ୍ର ପାଇଁ କାମ କରିବି, ବାରମ୍ବାର ବେରୋଜଗାରୀ ଓ ଦରବୃଦ୍ଧି ପ୍ରସଙ୍ଗ ଉଠାଇବି । ଯିଏ ଡରେ ସିଏ ଧମକାଏ । ଆଉ କେନ୍ଦ୍ର ସରକାର ଏବେ ଡରିକି ଅଛନ୍ତି । କାରଣ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରା କରିବାରେ ବିଫଳ ହୋଇଛନ୍ତି ।

ଏହା କେବଳ ଗାନ୍ଧୀ ପରିବାର ଉପରେ ଆକ୍ରମଣ ନୁହେଁ ବରଂ ଏକ ବିଚାରଧାରା ଉପରେ ଆକ୍ରମଣ । ଯେଉଁ ବିଚାରଧାରରେ କୋଟି କୋଟି ଲୋକ ବିଶ୍ୱାସ କରନ୍ତି । ଯେଉଁ ବିଚାରଧାରାକୁ ବଜାୟ ରଖିବାକୁ ମୋର ପରିବାର ଜୀବନ ଦେଇଛନ୍ତି । ଯେତେବେଳେ ଦେଶରେ ହିଂସାରେ ମାହୋଲ ଦେଖାଦେଉଛି, ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଲଢେଇ କରାଯାଉଛି ତାହା ଆମକୁ ବହୁତ କଷ୍ଠ ଦେଉଛି ବୋଲି ରାହୁଲ କହିଛନ୍ତି ।