ପଞ୍ଜାବରେ ମୋଦୀ ସରକାରକୁ ରାହୁଲଙ୍କ ତୀର । କହିଲେ, ସତ୍ତାକୁ ଆସିଲେ କୃଷି ଆଇନକୁ ରଦ୍ଦ କରିଦେବୁ ।

148

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି କୃଷି ଆଇନ ବିରୋଧରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପଞ୍ଜାବରେ ଆଜି ‘କ୍ଷେତି ବଚାଓ’ ଅଭିଯାନରେ ଯୋଗ ଦେଇ ରାହୁଲ କହିଛନ୍ତି କି, ଯଦି ତାଙ୍କ ସରକାର ସତ୍ତାକୁ ଆସେ ତେବେ ଏହି ୩ଟି ବିଲକୁ ରଦ୍ଦ କରିଦେବେ । ମୋଦୀ ସରକାର ଚାଷୀଙ୍କ ସହ ଇଂରେଜଙ୍କ ଭଳି ଆଚରଣ କରୁଛନ୍ତି ବୋଲି ସେ କହିଥିଲେ ।

କୋଭିଡ ସମୟରେ କୃଷକମାନଙ୍କ ପାଇଁ ଏଭଳି ଆଇନ କଣ ପାଇଁ ଆସିଲା? ଯଦି ଆଇନ ଠିକ ତେବେ ତାକୁ ବିରୋଧ କାହିଁକି ହେଉଛି ବୋଲି ପ୍ରଶ୍ନ କରିଥିଲେ ରାହୁଲ । କରୋନା ସମୟରେ ମୋଦୀ ସରକାର ବଡ ବଡ ବ୍ୟବସାୟୀଙ୍କୁ ଟିକସ ଛାଡ କରିଥିଲେ, ହେଲେ ଗରିବଙ୍କ ପାଇଁ କିଛି କରିନଥିଲେ ବୋଲି କହିଥିଲେ ରାହୁଲ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ସରକାର ମୋଦୀଙ୍କର ହେଲେ ତାକୁ ଚଲଉଛନ୍ତି ଅମ୍ବାନୀ ଆଉ ଆଦାନୀ । ଯେମିତି ଇଂରେଜମାନେ କୃଷକମାନଙ୍କୁ ଗୁଲାମ କରି ରଖିଥିଲେ । ଏ ସରକାର ମଧ୍ୟ ସେହିଭଳି କରୁଛି ।

କୃଷି ବିଲ ଆସିବା ପରଠୁ ବିରୋଧୀ ଦଳ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରି ଆସୁଛି । ଏବେ ହାଥରସ ଘଟଣାକୁ ନେଇ ମଧ୍ୟ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଘେରିଛନ୍ତି । ତେବେ ଏହି ସବୁ ଘଟଣାକୁ କେନ୍ଦ୍ର କରି ବିହାର ନିର୍ବାଚନରେ ଏବେ ବିଜେପିକୁ ଟାର୍ଗେଟ କରିପାରେ କଂଗ୍ରେସ ।