ମୁଁ ଫେରୁଛି, ପ୍ରଶ୍ନ ପଚାରିବା ଜାରିରହିବ। ରାହୁଲଙ୍କୁ କୋର୍ଟରୁ ଆଶ୍ୱସ୍ତି ପରେ କଂଗ୍ରେସ ଜାରିକଲା ସଂସଦର ଫଟୋ

261

କନକ ବ୍ୟୁରୋ: ମୋଦୀ ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । କୋର୍ଟ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ପକ୍ଷରେ ନିଜର ଫଇସଲା ଶୁଣାଇଛନ୍ତି । ତାଙ୍କ ଉପରେ ଦଣ୍ଡକୁ ବର୍ତ୍ତମାନ ପାଇଁ ରୋକ ଲଗାଯାଇଛି । ଏହି ମାମଲାରେ ରାହୁଲ ଗାନ୍ଧୀଙ୍କର ସଂସଦର ସଦସ୍ୟତା ରଦ୍ଦ କରାଯାଇଥିଲା । ଫଇସଲା ଆସିବା ପରେ କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତା ଖୁସି ମନାଇଛନ୍ତି । କଂଗ୍ରେସର ଟ୍ୱିଟର ହାଣ୍ଡେଲରୁ ଟ୍ୱିଟ କରାଯାଇଛି ଘୃଣା ବିରୋଧରେ ପ୍ରେମର ବିଜୟ ।

ରାହୁଲ ଗାନ୍ଧୀଙ୍କ ସପକ୍ଷରେ ରାୟ ଆସିବା ପରେ କଂଗ୍ରେସର ଅନେକ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସ ନେତା ଆଲୋକ ଶର୍ମା କହିଛନ୍ତି, ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି କାରଣରୁ ସ୍ପଷ୍ଟ ହୋଇଯାଇଛି ଯେ ସତ୍ୟର ବିଜୟ ହୋଇଛି । କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ବିରୋଧରେ ଷଡଯନ୍ତ୍ର ନାକାମ ହୋଇଛି । ତାଙ୍କର ଏହି ବିଜୟ ବିଜେପି ଉପରେ ଭାରିପଡିବ ।

କଂଗ୍ରେସ ପକ୍ଷରୁ ଆଉଗୋଟିଏ ଟ୍ୱିଟରେ ଲେଖାଯାଇଛି ମୁଁ ଫେରୁଛି, ପ୍ରଶ୍ନ ପଚାରିବା ଜାରିରହିବ । ଏଥିରେ ରାହୁଲ ସଂସଦ ଭିତରେ ଆଦାନୀ ଏବଂ ମୋଦୀଙ୍କ ଫଟୋ ଧରିଥିବା ଦେଖିବାକୁ ମିଳିଛି । ଏହାର ଅର୍ଥ ରାହୁଲ ସଂସଦ ଆସି ପ୍ରଶ୍ନ କରିବେ ବୋଲି କଂଗ୍ରେସ କହିଛନ୍ତି ।