ବେରୋଜକାରୀଙ୍କ ସଂଖ୍ୟାରେ ଭାରତର ରେକର୍ଡ ! ବିଗତ ୪୬ବର୍ଷରେ ବଢ଼ିଛି ୬.୧% ବେକାରୀ ହାର, ଟ୍ୱିଟ୍ କରି ମୋଦିଙ୍କୁ ସମାଲୋଚନା କଲେ ରାହୁଲ ।

138

କନକ ବ୍ୟୁରୋ : ଦେଶରେ ବଢିଛି ବେକାରୀ । ଏନଏସଏସଓର ରିପୋର୍ଟ ଅନୁସାରେ ବିଗତ ୪୫ ବର୍ଷ ଭିତରେ ଦେଶରେ ବେକାରୀ ହାର, ଶୀର୍ଷ ସ୍ଥାନରେ ପହଂଚିଛି । ୧୯୭୨-୭୩ ପରଠାରୁ ବେକାରୀ ଅଭିବୃଦ୍ଧି ହାରରେ ଏହା ହେଉଛି ସର୍ବକାଳୀନ ରେକର୍ଡ । ସେପଟେ ମୋଦି ସରକାରଙ୍କ ୫ ବର୍ଷର ଶାସନ ପରେ ଦେଶରେ ନିଯୁକ୍ତିକୁ ନେଇ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପଚାରିଛନ୍ତି ହାଓ ଇଜ୍ ଦା ଜବ୍ସ ।

ପରଦାର ସଂଳାପ ପଲିଟିକ୍ସକୁ କେତେ ପ୍ରଭାବିତ କରେ ରାହୁଲ ପଚାରିଥିବା ଉରି ଫିଲ୍ମର ସେହି ଡାଇଲଗରୁ, ତାହା ସ୍ପଷ୍ଟ ହୋଇଯାଉଛି । ସିନେ ପ୍ରେମୀଙ୍କ ଉତ୍ସାହ ବଢ଼ାଉଥିବା ଫିଲ୍ମର ସେହି ସଂଳାପ ଏବେ ରାଜନୀତିରେ ଜନତାଙ୍କୁ ଉତ୍ସାହିତ କରିବା ପାଇଁ ଉପଯୋଗ ହେଉଛି । ଆଉ ଏହି ଫିଲ୍ମ ଡାଇଲଗକୁ ନିଜ ଢ଼ଙ୍ଗରେ ମୋଡ଼ି ଦେଇ ଟୁଇଟ୍ କରିଛନ୍ତି ରାହୁଲ ଗାନ୍ଧୀ  । ଯେଉଁଥିରେ ରାହୁଲ ଲେଖିଛନ୍ତି-

-#ହାଓ ଇଜ୍ ଦ ଜବ୍ସ । ପ୍ରତିବର୍ଷ ୨ କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଥିଲା । ୫ବର୍ଷ ପରେ

ନିଯୁକ୍ତି ସୁଯୋଗର ରିପୋର୍ଟ ଜାତୀୟ ବିପର୍ଯ୍ୟୟ ଭଳି ସାମ୍ନାକୁ ଆସିଛି । ୪୫ବର୍ଷ ଭିତରେ ବେକାରୀଙ୍କ ସଂଖ୍ୟା ଶୀର୍ଷ ସ୍ଥାନରେ ପହଂଚିଛି । କେବଳ ୨୦୧୭-୧୮ବର୍ଷରେ ସାଢ଼େ ୬ କୋଟି ଯୁବକ ବେକାର ଅଛନ୍ତି । ନମୋଙ୍କ ବିଦାୟ ନେବାର ସମୟ ଆସିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏହି ଟ୍ୱିଟ୍ ଏବଂ ମୋଦିଙ୍କ ସମାଲୋଚନା ପଛରେ ରହିଛି, ଏନଏସଏସଓର ସଦ୍ୟପ୍ରକାଶିତ ରିପୋର୍ଟ  ।  ଯେଉଁ ରିପୋର୍ଟରେ କୁହାଯାଇଛି, ବିଗତ ୪୫ ବର୍ଷ ଭିତରେ ଦେଶରେ ବେକାରୀ ହାର, ଶୀର୍ଷ ସ୍ଥାନରେ ପହଂଚିଛି  ।

ପରିସଂଖ୍ୟାନ ଏବଂ ଯୋଜନା ପ୍ରଣୟନ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏହି ରିପୋର୍ଟର ତଥ୍ୟ କହୁଛି ।

-ଭାରତରେ ବେକାରୀ ଅବିବୃଦ୍ଧି ହାର ୬.୧%କୁ ବୃଦ୍ଧି ଯାଇଛି, ଯାହା ୪୫ବର୍ଷ ଭିତରେ ସବୁଠୁ ଅଧିକ

-୧୯୭୨-୭୩ ପରଠାରୁ ବେକାରୀ ଅବିବୃଦ୍ଧି ହାରରେ ଏହା ହେଉଛି ସର୍ବକାଳୀନ ରେକର୍ଡ

– ଗ୍ରାମାଚଂଳ ଅପେକ୍ଷା ସହରାଚଂଳରେ ବେକାରୀଙ୍କ ସଂଖ୍ୟା ବହୁତ ଅଧିକ

– ଗ୍ରାମାଂଚଳରେ ୫.୩% ବେକାରୀ ହାର ଥିବା ବେଳେ ସହରାଚଂଳରେ ଏହା ୭.୮% ରହିଛି

– ୨୦୧୭-୧୮ ବର୍ଷରେ ଗ୍ରାମାଚଂଳରେ ଶିକ୍ଷିତ ମହିଳାଙ୍କ ବେକାରୀ ହାର ୧୭.୩%

– ଗ୍ରାମାଚଂଳରେ ଶିକ୍ଷିତ ଯୁବକଙ୍କ ବେକାରୀ ହାର ରହିଛି ୧୦.୫%

– ବେକାରୀ ସମସ୍ୟା ଯୋଗୁଁ ଶ୍ରମ ଶକ୍ତି ହାର ମଧ୍ୟ ୩୯.୯%କୁ ଖସି ଆସିଛି

ବଡ କଥା ହେଉଛି, ଆଗକୁ ୨୦୧୯ ନିର୍ବାଚନ ଥିବାରୁ ଏନଏସଏସଓ ରିପୋର୍ଟର ଗୁରୁତ୍ୱ ଆହୁରି ବଢ଼ିଯାଇଛି । କାରଣ କେନ୍ଦ୍ରରେ ଥିବା ମୋଦି ସରକାର ବର୍ଷକୁ ୨କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ । ଆଉ ଯେତେବେଳେ ବେକାରୀ ସମସ୍ୟାକୁ ନେଇ ଏଭଳି ରିପୋର୍ଟ ଆସୁଛି । ବିରୋଧୀଙ୍କୁ ଏକ ବଡ ଅସ୍ତ୍ର ମିଳିଯାଇଛି । ଆଉ ସେଇଥି ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ-ହାଓ ଇଜ୍ ଦ ଜୋସ୍ର ନାରା ଦେଉଥିବା ବେଳେ ରାହୁଲ ଗାନ୍ଧୀ ପାଲଟା ପ୍ରଶ୍ନ କରିଛନ୍ତି, ହାଓ ଇଜ୍ ଦ ଜବ୍ସ । ଆଉ ରାହୁଲଙ୍କ ସହ ତାଳ ଦେଇ ପକୁଡି ବିକ୍ରି କରି ବେକାରୀ ସମସ୍ୟାର ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ।