କନକ ବ୍ୟୁରୋ : କାଶ୍ମୀରରେ ଟାର୍ଗେଟ କିଲିଂ ଓ କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏସବୁ ଘଟଣା ପାଇଁ ସେ ସିଧାସଳଖ ବିଜେପି ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି କି କ୍ଷମତାକୁ ଆସିବା ପୂର୍ବରୁ ବଡ ବଡ କଥା କହୁଥିବା ପ୍ରଧାନମନ୍ତ୍ରୀ ଆଜି କ୍ଷମତାକୁ ଉପଭୋଗ କରୁଛନ୍ତି । ହେଲେ କାଶ୍ମୀର ପଣ୍ଡିତମାନେ ନିଜ ଦେଶରେ ଶରଣାର୍ଥୀଙ୍କ ଭଳି ଜୀବନ ଯାପନ କରୁଛନ୍ତି । ରାହୁଲ କହିଛନ୍ତି କି, ଚଳିତ ବର୍ଷ ୩୦ ଟି ଟାର୍ଗେଟ୍ କିଲିଂ ଘଟଣା ଘଟିଛି । କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ପଳାୟନ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାସହ ୟୁପିଏ ସରକାର ସମୟରେ ହୋଇଥିବା ଭଲ କାମକୁ ବିଜେପି ବରବାଦ କରିଦେଇଥିବା କଥା ରାହୁଲ ଗାନ୍ଧୀ କହିଛନ୍ତି ।
କାଶ୍ମୀର ପଣ୍ଡିତ ପୂରଣ କୃଷ୍ଣାଙ୍କ ଚଳିତମାସ ୧୫ ତାରିଖରେ ତାଙ୍କ ଘର ବାହାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଏହାପରେ ୧୮ ତାରିଖରେ ଭଡାଘରେ ଶୋଇଥିବା ବେଳେ ମୋନିଶ କୁମାର ଓ ରାମ ସାଗରଙ୍କୁ ବି ଗୁଳି କରି ହତ୍ୟା କରାଯାଇଥିଲା । ଏଭଳି ଭାବେ ଗୋଟିକ ପରେ ଗୋଟିଏ ଘଟଣା କାରଣରୁ ଏବେ ଘାଟିରୁ କାଶ୍ମୀର ପଣ୍ଡିତମାନେ ପଳାୟନ କରୁଛନ୍ତି ।
ଏହି କ୍ରମରେ ଚୌଧୁରୀଗୁଣ୍ଡ ଗାଁର ୧୦ ଟି କାଶ୍ମୀର ପଣ୍ଡିତ ପରିବାର ଭୟରେ ସୋପିଆରୁ ନିଜ ଘର ଛାଡି ଏବେ ଜମ୍ମୁରେ ପହଂଚିଛନ୍ତି । ଗାଁ ଲୋକଙ୍କ କହିବା କଥା କି, ସେମାନଙ୍କ ମନରେ ଆତଙ୍କବାଦୀଙ୍କୁ ନେଇ ପ୍ରବଳ ଭୟ ଶ୍ରୁଷ୍ଟି ହୋଇଛି ।