କନକ ବ୍ୟୁରୋ : କଂଗ୍ରେସ ପାଇଁ ଏବେ ଅଡୁଆ ବଢିବାରେ ଲାଗିଛି । ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିବା ପରେ ଆଜି ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟ ପରିସରରେ ଥିବା ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟକୁ ଇଡି ସିଲ କରିଛି । ଏହାସହ କଂଗ୍ରେସ କାର୍ଯ୍ୟାଳୟ ପରିସର ଓ ସଂଯୋଗ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏସବୁ ଭିତରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରାମକ ଢଙ୍ଗରେ ଟାର୍ଗେଟ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ  ରାହୁଲ କହିଛନ୍ତି କି, କେନ୍ଦ୍ର ସରକାର ତାଙ୍କୁ ଭୟଭିତ କରିବାକୁ ଚେଷ୍ଟା କରୁଛନ୍ତି ହେଲେ  ସେ ନରେନ୍ଦ୍ର ମୋଦୀଙ୍କୁ ଭୟ କରନ୍ତି ନାହିଁ । ଏହାସହ ରାହୁଲ ଗାନ୍ଧୀ କହିଛନ୍ତି କି ସତ୍ୟକୁ କେବେ ବନ୍ଦୀ କରାଯାଇପାରିବ ନାହିଁ । ସରକାରଙ୍କର ଯାହା କରିବାର ଅଛି କରନ୍ତୁ ହେଲେ କଂଗ୍ରେସ କିମ୍ବା ଗାନ୍ଧୀ ପରିବାର ଉପରେ କିଛି ଫରକ ପଡିବ ନାହିଁ ବୋଲି ସେ କହିଛନ୍ତି ।

Advertisment

କେବଳ ସେତିକି ନୁହେଁ କେନ୍ଦ୍ର ସରକାର ଯାହା କଲେ ବି ଆମେ ଆଗଭଳି ଠିଆ ହୋଇ ରହିବୁ । ଆମର ପ୍ରଥମ କାମ ହେଉଛି ଦେଶବାସୀଙ୍କ ସହ ଠିଆ ହେବା, ଦେଶର ଗଣତନ୍ତ୍ରକୁ ରକ୍ଷା କରିବା ଓ ଦେଶର ଏକତାକୁ ପ୍ରାଧାନ୍ୟ ଦେବା । ଏହି କାମକୁ ଆମେ କର୍ତ୍ତବ୍ୟ ଭାବି ଆଗକୁ ବଢିବୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । କେନ୍ଦ୍ର ସରକାର ନ୍ୟାସନାଲ ହେରାଲ୍ଡ ମାମଲା ମାଧ୍ୟମରେ ଆମକୁ ଚୁପ କରିବାକୁ ଯେଉଁ ଚେଷ୍ଟା କରୁଛନ୍ତି ସେଥିରେ ସେ ବିଫଳ ହେବେ ବୋଲି ରାହୁଲ କହିଛନ୍ତି ।

କହିରଖୁ କି ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରିସାରିଛି । ଏହାପରେ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଚଢାଉ କରିବା ସହ ଆଜି ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟକୁ ସିଲ କରିଛି । ସେପଟେ ଇଡିର ଏଭଳି କାର୍ଯ୍ୟାଳୟ ବିରୋଧରେ କଂଗ୍ରେସ ପ୍ରଦର୍ଶନ କରିପାରେ ବୋଲି ଆଶଂକା କରି ପାର୍ଟିର ମୁଖ୍ୟ କାର୍ଯ୍ୟାଳୟ ଓ କାର୍ଯ୍ୟାଳୟ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।