ହାଥରସ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ରଣହୁଂକାର । କହିଲେ, ପୀଡିତାଙ୍କ ପରିବାରକୁ ଭେଟିବାରୁ ରୋକି ପାରିବେନି କେହି । ଦିଲ୍ଲୀ ନୋଏଡା ଏକ୍ସପ୍ରେସ ୱେ ଦେଇ ୩୫ ସାଂସଦଙ୍କ ସହ ଗଲେ ରାହୁଲ ଓ ପ୍ରିୟଙ୍କା ।

285

କନକ ବ୍ୟୁରୋ : ବର୍ତ୍ତମାନ ରାଜନୀତିର ହଟସ୍ପଟ୍ ପାଲଟିଛି ୟୁପିର ହାଥସରଥ । ହାଥରସ ପ୍ରସଙ୍ଗରେ ରଣହୁଂକାର ଦେଇଛନ୍ତି ରାହୁଲ ଗାନ୍ଧୀ । ଏନେଇ ସେ କହିଛନ୍ତି, ପୀଡିତାଙ୍କ ପରିବାରକୁ ଭେଟିବେ । ଏଥିପାଇଁ କେହି ତାଙ୍କୁ ରୋକି ପାରିବେନାହିଁ । ଏହାରି ଭିତରେ ୩୫ ଜଣ ସାଂସଦଙ୍କ ସହ ପୁଣି ଥରେ ହଥରସ ବାହାରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ ତାଙ୍କ ଟିମ ସହିତ ଆସିବା କଥା ଜଣାପଡିବା ପରେ ନୋଏଡା ବର୍ଡରରେ ସଙ୍ଗେ ସଙ୍ଗେ ସୁରକ୍ଷାକୁ ବଢାଇ ଦିଆଯାଇଛି ।

ନୋଏଡା ନିକଟ ଏକ୍ସପ୍ରେସ ୱେରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । କଂଗ୍ରେସର କାର୍ଯ୍ୟକର୍ତା ସେଠାରେ ପହଂଚିଛନ୍ତି । ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସହିତ ୩୫ଜଣିଆ ସାଂସଦଙ୍କ ଏକ ଟିମ ସେଠାକୁ ବସରେ ବାହାରିଛନ୍ତି । ସମସ୍ତେ ଏକ ବସରେ ଦିଲ୍ଲୀରୁ ବାହାରି ନୋଏଡା ଦେଇ ହସରଥ ଅଭିମୁଖେ ଆସୁଛନ୍ତି ।

ହଥରସ କାଣ୍ଡକୁ ନେଇ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ । ୟୁପିର ଯୋଗୀ ସରକାର ଉପରେ କଂଗ୍ରେସ ଲଗାତାର ଆକ୍ରମଣ କରିଚାଲିଛି ।

ସେପଟେ ଗୁରୁବାର ଗ୍ରେଟର ନୋଏଡାରେ ସେତେବେଳେ ଉତେଜନା ସୃଷ୍ଟି ହୋଇଥିଲା, ଯେତେବେଳେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଏକ୍ସପ୍ରେସ ହାଇୱେ ଦେଇ ହଥରସ ଯିବାକୁ ଉଦ୍ୟମ କରୁଥିଲେ । ନୋଏଡା ପୋଲିସ ସେମାନଙ୍କୁ ହଥରସ ଯିବା ପାଇଁ ଅନୁମତି ଦେଇନଥିଲେ । ଏପରିକି ରାହୁଲଙ୍କୁ ଧକ୍କା ପେଲା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । କିଛି ଘଂଟା ଧରି ଚାଲିଥିଲା ଏହି ଡ୍ରାମା । ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କୁ ଗିରଫ କରି ପରେ ଛାଡି ଦେଇଥିଲା ।