କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାରେ ଏସଆଇଟି ରିପୋର୍ଟ ପରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି ହୋଇଛି । ଗତକାଲି ପରି ଆଜି ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମନ୍ତ୍ରୀ ଟେନିଙ୍କ ଇସ୍ତଫା ଦାବି କରିଛନ୍ତି । ରାହୁଲ କହିଛନ୍ତି, ଏହି ମାମଲାରେ ମନ୍ତ୍ରୀଙ୍କର ସମ୍ପୃକ୍ତି ରହିଛି । ଅଜୟ ମିଶ୍ରା ଜଣେ ଅପରାଧୀ, ତାଙ୍କୁ ମନ୍ତ୍ରୀପଦରୁ ତୁରନ୍ତ ବହିଷ୍କାର କରିବା ଉଚିତ୍ ନଚେତ ସେ ନିଜେ ଇସ୍ତଫା ଦେବା ଆବଶ୍ୟକ । ଏଭଳି ହଟ୍ଟଗୋଳ ଭିତରେ ଲୋକସଭାକୁ ଅପରାହ୍ନ ୨ଟା ଯାଏ ମୁଲତବୀ କରାଯାଇଥିଲା ।

Advertisment

ସେହିପରି ୟୁପି ବିଧାନସଭା ଆଗରେ ମଧ୍ୟ କଂଗ୍ରେସ ନେତା ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରି ନାରାବାଜି କରିଛନ୍ତି । ମନ୍ତ୍ରୀଙ୍କ ଗାଡିକୁ ଚାଷୀଙ୍କ ଉପରେ ମଡାଯାଇ ହତ୍ୟା କରାଯାଇଛି । ହେଲେ କେଉଁ କାରଣ ପାଇଁ କେନ୍ଦ୍ର ସରକାର ତାଙ୍କୁ ବହିଷ୍କାର କରୁ ନାହାନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା । ଶାସକ ଦଳ ପକ୍ଷ ରଖି କହିଛି ମାମଲା ବିଚାରଧୀନ ରହିଛି । ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଅଭିଯୋଗ ରହିଛି, ମନ୍ତ୍ରୀଙ୍କ ନାଁରେ ନୁହେଁ ।

ଅନ୍ୟପଟେ ଅକ୍ସିଜେନ ପ୍ଲାଂଟ ଉଦଘାଟନ ଅବସରରେ ମନ୍ତ୍ରୀ ଅଜୟ ମିଶ୍ର ସାମ୍ବାଦିକଙ୍କୁ ଦୁର୍ବବ୍ୟହାର କରିିଥିବା ଅଭିଯୋଗ ହୋଇଛି । ସାମ୍ବାଦିକ ଜଣଙ୍କ ମନ୍ତ୍ରୀଙ୍କୁ ଲଖିମପୁର ଖେରୀ ଘଟଣାରେ ଏସଆଇଟି ରିପୋର୍ଟ ବାବଦରେ ପଚାରିଥିଲେ । ଏହାପରେ ମନ୍ତ୍ରୀ ଚିହିଁକି ଯାଇ କହିଥିଲେ ତାଙ୍କ ପୁଅର ଦୋଷ ନାହିଁ, ତାକୁ ଫସାଇ ଦିଆଯାଇଛି । ଏହି ହିଂସାକାଣ୍ଡ ଘଟଣାରେ ଏସଆଇଟି ତଦନ୍ତ କରୁଛି । ନିକଟରେ ଏସଆଇଟି ତଦନ୍ତ ଦାୟିତ୍ୱରେ ଥିବା ବିଚାରପତିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି । ଯେଉଁଥିରେ ଚାଷୀଙ୍କ ଉପରେ କାର ମାଡାଯାଇଛି । ଏହା ଦୁର୍ଘଟଣା ନୁହେଁ ବରଂ ଷଡଯନ୍ତ୍ର ବୋଲି ଏସଆଇଟି ରିପୋର୍ଟରେ ଉଲ୍ଲେଖ କରିଛି ।