ଭାରତରେ ଇଭିଏମ୍ ଗୋଟିଏ ବ୍ଲାକବକ୍ସ । ଏହାକୁ ଯାଞ୍ଚ କରିବାର ଅନୁମତି ନାହିଁ । ନିର୍ବାଚନ ପରେ ପୁଣି ଇଭିଏମ୍ ପ୍ରସଙ୍ଗ ଉଠାଇଲେ ରାହୁଲ ।

416

କନକ ବ୍ୟୁରୋ: ନିର୍ବାଚନ ପରେ ପରେ ପୁଣି ଉଠିଲା ଇଭିଏମ୍ ପ୍ରସଙ୍ଗ । ରବିବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଇଭିଏମକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ପରେ ପୁଣିଥରେ ଇଭିଏମକୁ ନେଇ ଚର୍ଚ୍ଚା ଆରମ୍ଭ ହେଇଛି । ରାହୁଲ ଗାନ୍ଧୀ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ୍ ମସ୍କଙ୍କ ଏକ ଏକ୍ସ ପୋଷ୍ଟକୁ ରି-ପୋଷ୍ଟ କରିବା ସହ ଲେଖିଛନ୍ତି, ଭାରତରେ ଇଭିଏମ୍ ଏକ ବ୍ଲାକ୍ ବକ୍ସ ଅଟେ । ଏହାକୁ ଯାଞ୍ଚ କରିବାକୁ କାହାର ବି ଅନୁମତି ନାହିଁ ।

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ତାଙ୍କର ଏହି ପୋଷ୍ଟରେ ମୁମ୍ବାଇର ଗୋଟିଏ ଘଟଣା କଥା ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ମୁମ୍ବାଇ ପୋଲିସ୍ ଇଭିଏମକୁ ନେଇ ଶିବସେନା ସିନ୍ଧେ ଗୋଷ୍ଠୀର ସାଂସଦ ରବୀନ୍ଦ୍ର ୱାୟକରଙ୍କ ଶଳା ମଙ୍ଗେଶ ପାଣ୍ଡିଲକରଙ୍କ ବିରୋଧରେ କେସ୍ ରୁଜୁ କରିଛି । ମଙ୍ଗେଶ ପାଣ୍ଡିଲଙ୍କର ବିରୋଧରେ ଅଭିଯୋଗ ରହିଛି ଯେ, ମୁମ୍ବାଇର ଗୋରେଗାଓଁ ନିର୍ବାଚନ ସେଣ୍ଟର ଭିତରେ କଟକଣା ଥିବା ସତ୍ୱେ ସେ ମୋବାଇଲ୍ ବ୍ୟବହାର କରିଥିଲେ ।

ତେବେ ରାହୁଲ ଗାନ୍ଧୀ ମୋବାଇଲ୍ ଏବଂ ଏହି ଘଟଣା କଥା ଉଲ୍ଲେଖ କରିବାର କାରଣ ଏହା ଯେ, ଏଲନ୍ ମସ୍କ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇଭିଏମରେ ନକରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଇଭିଏମକୁ ବନ୍ଦ କରିଦେବା ଉଚିତ୍ । ଏହାକୁ ଜଣେ ସାଧାରଣ ଲୋକ କିମ୍ବା ଏଆଇ ଦ୍ୱାରା ହ୍ୟାକ୍ କରିବାର ଭୟ ଅଛି ବୋଲି ସେ କହିଛନ୍ତି । ଯାହାପରେ ରାହୁଲ ଗାନ୍ଧୀ ମଧ୍ୟ ଏହି କଥା ଛଳରେ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।