ସବୁ ଧର୍ମରେ ଅଛି ‘ହାତ’ ଚିହ୍ନ । ପଢନ୍ତୁ, କଂଗ୍ରେସର ‘ହାତ’ ଚିହ୍ନକୁ ନେଇ କଣ କହିିଲେ ରାହୁଲ ଗାନ୍ଧୀ?

171

କନକ ବ୍ୟୁରୋ: ଭାରତର ସବୁଠୁ ପୁରାତନ ରାଜନୈତିକ ଦଳ କଂଗ୍ରେସର ଚିହ୍ନ ‘ହାତ’ କାହିଁକି ରଖାଯାଇଛି? ମଙ୍ଗଳବାର ଅଖିଳ ଭାରତୀୟ ମହିଳା କଂଗ୍ରେସର ସ୍ଥାପନ ଦିବସରେ ଏନେଇ ସୂଚନା ଦେଇଛନ୍ତି ଦଳର ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି , କଂଗ୍ରେସର ହାତ ଚିହ୍ନରେ ସବୁ ଧର୍ମ ରହିଛି । ହାତର ଚିହ୍ନ ‘ଆଶୀର୍ବାଦ’ ନୁହେଁ, ବରଂ ‘ସତକୁ କେବେ ବି ଡରନ୍ତୁ ନାହିଁ’ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ହିନ୍ଦୁ, ମୁସଲିମ୍, ଶିଖ, ସାଇ- ସବୁ ଧର୍ମରେ ଆପଣ ହାତ ଚିହ୍ନକୁ ଦେଖିବାକୁ ପାଇବେ । ସବୁ ଧର୍ମର ଭଗବାନ, ସନ୍ଥମାନେ ହାତ ଟେକି ନିଜ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଇଥାନ୍ତି । ସେହି ହାତ ଚିହ୍ନ ହିଁ ହେଉଛି , କଂଗ୍ରେସର ଚିହ୍ନ । ଯାହାକି ଅନ୍ୟ କୌଣସି ଦଳରେ ଦେଖିବାକୁ ମିଳିବ ନାହିଁ ବୋଲି ରାହୁଲ କହିଛନ୍ତି ।

ଅନ୍ୟପଟେ ଏହି ବୈଠକରେ ରାହୁଲ , ବିଜେପି ଓ ଆରଏସଏସ ଉପରେ ମଧ୍ୟ ଜୋରଦାର ବର୍ଷିଛନ୍ତି । ବିଜେପି ଏବଂ ଆରଏସଏସର ଲୋକମାନେ ହିନ୍ଦୁ ନୁହଁନ୍ତି । ସେମାନେ କେବଳ ହିନ୍ଦୁମାନଙ୍କୁ ବ୍ୟବହାର କରୁଛନ୍ତି । ଯାହା ଫଳରେ ସମାଜରେ ଏକ ଭୟର ବାତାବରଣ ସୃଷ୍ଟି ହେଉଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ତା ସହିତ ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ, ଜିଏସଟି ଓ ବିମୁଦ୍ରୀକରଣ କରି ମୋଦୀ ସରକାର ଲକ୍ଷ୍ମୀଙ୍କ ଶକ୍ତି ଓ ଦୁର୍ଗାଙ୍କ ଶକ୍ତିକୁ ଆକ୍ରମଣ କରିଛି । ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ହେଉଛନ୍ତି ମିଛ ହିନ୍ଦୁ ।

ଅନ୍ୟପଟେ ବିଜେପି ଓ ଆରଏସଏସର ଲୋକମାନେ ମହିଳାମାନଙ୍କୁ ଭୟଭୀତ କରି ରଖିଛନ୍ତି ବୋଲି ରାହୁଲ କହିଛନ୍ତି । ଯଦି ଗତ ଶହେ ବର୍ଷ ଭିତରେ କୌଣସି ବ୍ୟକ୍ତି ହିନ୍ଦୁ ଧର୍ମକୁ ଠିକ୍ ଭାବେ ବୁଝିଛନ୍ତି ସେ ହେଉଛନ୍ତି ମହାତ୍ମା ଗାନ୍ଧୀ । ଏ କଥାକୁ ବିଜେପି ଓ ଆରଏସଏସର ଲୋକମାନେ ମଧ୍ୟ ଗ୍ରହଣ କରିଥାନ୍ତି । ମହାତ୍ମା ଗାନ୍ଧୀ ଅହିଂସାକୁ ନେଇ ବଞ୍ଚୁଥିଲେ । ଆଉ ହିନ୍ଦୁ ଧର୍ମର ମୂଳଦୁଆ ହେଉଛି ଅହିଂସା ବୋଲି ରାହୁଲ କହିଛନ୍ତି । ଆରଏସଏସ ଓ ବିଜେପି ନେତାଙ୍କ ବିଚାରଧାରା ସହିତ କଂଗ୍ରେସ କଦାପି ସାଲିସ୍ କରିବ ନାହିଁ । ସେମାନଙ୍କର ବିଚାରଧାରା ଏବଂ କଂଗ୍ରେସର ବିଚାରଧାରା ଅଲଗା ଅଲଗା ଅଟେ । କଂଗ୍ରେସ ଗାନ୍ଧୀଙ୍କ ବିଚାରଧାରାକୁ ସବୁବେଳେ ସମ୍ମାନ ଦିଏ ବୋଲି ରାହୁଲ କହିଛନ୍ତି ।