ର‌୍ୟାଲିରେ ପଶିଥିବା କୁକୁରକୁ ସୁରକ୍ଷାକର୍ମୀ ମାରିଲେ ଗୋଇଠା, ବଞ୍ଚାଇଲେ ରାହୁଲ ଗାନ୍ଧି ।

50

୧୦ ସେପ୍ଟେମ୍ବର ୨୦୧୮ । ସକାଳ ୬ଟା ବାଜିବା କ୍ଷଣି ରୋଡ ଉପରେ ହାଜର ହୋଇଗଲେ କଂଗ୍ରେସ କର୍ମୀ । ଦେଶର ପ୍ରତ୍ୟେକ ରାଜରାସ୍ତା, ବଜାର ଘାଟ ସବୁଠି କଂଗ୍ରେସ କର୍ମୀ ପଇଁତରା ମାରିବା ଆରମ୍ଭ କରିଥିଲେ । କାରଣ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦେଇଥିଲା ଭାରତ ବନ୍ଦ ଡାକରା । ଦିଲ୍ଲୀରୁ ପଲ୍ଲୀ ସବୁଠି ଭାରତ ବନ୍ଦର ଝଲକ ଦେଖିବାକୁ ମିଳିଥିଲା । ଦିଲ୍ଲୀରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗୁଡିକୁ ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ଏପରିକି ଏହି ମଞ୍ଚର ପ୍ରଥମ ଧାଡିରେ ଅନ୍ୟ ବିରୋଧୀ ଦଳ ନେତା ମାନଙ୍କ ସହ ବସିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କିନ୍ତୁ ସେହି ସମୟରେ ଯାହା ଦେଖିବାକୁ ମିଳିଥିଲା ତାହା ପଶୁ ମାନଙ୍କ ପ୍ରତି ରାହୁଲ ଗାନ୍ଧିଙ୍କ ଭଲପାଇବାକୁ ଦର୍ଶାଇଥିଲା ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦର ଡାକରା ଦେଇ ଦିଲ୍ଲୀର ରାମଲୀଳା ମୈଦାନର ସାମ୍ନାରେ ଥିବା ଏକ ପେଟ୍ରୋଲ ପମ୍ପରେ ଏକାଠି ହୋଇଥିଲେ ଅଧିକାଂଶ ବିରୋଧୀ ଦଳ ନେତା । ଗୋଟିଏ ପଟେ ରୋଡର ଗୋଟିଏ ପାଶ୍ୱର୍ରେ ମଞ୍ଚ ଉପରେ କଂଗ୍ରେସ ଓ ବିରୋଧୀ ଦଳଗୁଡିକର ନେତା । ଅନ୍ୟପଟେ ବ୍ୟାରିକେଟର ପଛପଟେରେ ଥିଲା ମିଡିଆ କ୍ୟାମେରା । ମୋଦି ସରକାରଙ୍କ ଉପରେ ବର୍ଷିବା ଆରମ୍ଭ କରିଥିଲେ କଂଗ୍ରେସ ନେତା । କିନ୍ତୁ ଏହି ସମୟରେ ମିଡିଆର କ୍ୟାମେରା ଓ ନେତାଙ୍କ ମଧ୍ୟରେ ଥିବା ରାସ୍ତାରେ ଛୋଟେଇ ଛୋଟେଇ ପହଞ୍ଚିଥିଲା ଗୋଟିଏ ଧୂସର ରଙ୍ଗର କୁକୁର । କିନ୍ତୁ ବୁଲା କୁକୁରକୁ ରାସ୍ତା ଉପରେ ଦେଖି ଚିହିଁକି ଉଠିଥିଲେ ସୁରକ୍ଷାରେ ନିୟୋଜିତ ଥିବା ଏସପିଜି ଯବାନ ଓ ଦିଲ୍ଲୀ ପୋଲିସର ସୁରକ୍ଷାକର୍ମୀ । କୁକୁରକୁ ଘଉଡାଇବା ପାଇଁ ସୁରକ୍ଷାକର୍ମୀ ଆରମ୍ଭ କରି ଦେଇଥିଲେ କସରତ । ଏହା ଦେଖି କୁକୁର ମଧ୍ୟ ବ୍ୟତିବ୍ୟସ୍ତ ହୋଇ ଦୌଡିବା ଆରମ୍ଭ କରି ଦେଇଥିଲା । ତେବେ ଏତେ ଲୋକଙ୍କ ଭିଡ ମଧ୍ୟରେ କୁକରଟି ବାହାରକୁ ଯିବାକୁ ମଧ୍ୟ ବାଟ ପାଇନଥିଲା ।

ଏହି ସମୟରେ କୁକୁରକୁ ବାହାର କରିବା ପାଇଁ ସୁରକ୍ଷାକର୍ମୀ ଜଣକ ତାକୁ ଶକ୍ତ ଗୋଇଠା ମାରିଥିଲେ । ଆଘାତ ପାଇବା ପରେ ବୁଲା କୁକୁରଟି ଭୁକିବାରୁ ମଞ୍ଚ ଉପରେ ବସିଥିବା ସମସ୍ତ ଲୋକଙ୍କ ନଜର ତା ଉପରେ ପଡିଲା । ତେବେ ସୁରକ୍ଷାକର୍ମୀଙ୍କ ଏଭଳି ହରକତ ଦେଖି ମଞ୍ଚରେ ବସିଥିବା ରାହୁଲ ହଠାତ ଉଠିଯାଇ ହାତରେ ଉକ୍ତ ସୁରକ୍ଷାକର୍ମୀଙ୍କୁ କିଛି ଇସାରା କରିଥିଲେ । ଏପରିକି କୁକୁର ପ୍ରତି ସୁରକ୍ଷାକର୍ମୀଙ୍କ ଏଭଳି ବ୍ୟବହାରକୁ ସହଜରେ ଗ୍ରହଣ କରି ପାରିନଥିଲେ ରାହୁଲ । ରହୁଲଙ୍କ ଏଭଳି ରୂପ ଦେଖି କଂଗ୍ରେସ ନେତା ରଣଦୀନ ସୁରଜେବାଲା କୁକୁରକୁ ଆରାମରେ ଛାଡି ଦେବାକୁ ସୁରକ୍ଷାକର୍ମୀଙ୍କୁ କହିଥିଲେ । ଆଉ ଏଭଳି ଘଟଣା ପଶୁ ମାନଙ୍କ ପ୍ରତି ରାହୁଲଙ୍କ ଭଲପାଇବାକୁ ସ୍ପଷ୍ଟ ଦର୍ଶାଇଥିଲା । ଏହାଛଡା ରାହୁଲ ନିଜେ ମଧ୍ୟ ପିଡି ନାମକ କୁକୁରକୁ ପାଳିଛନ୍ତି । ଯେଉଁ କୁକୁରକୁ ଅଧିକାଂଶ ସମୟରେ ରାହୁଲଙ୍କ ଗାଡିରେ ଦେଖିବାକୁ ମିଳିଥାଏ ।