କନକ ବ୍ୟୁରୋ : ଫ୍ୟାନ ବା ପ୍ରଶଂସକ କହିଲେ ଆମେ ଯାହାକୁ ଅତି ଭଲ ପାଉଥାଉ ବା ଯାହାଙ୍କ କାମ ଆମକୁ ଭଲ ଲାଗେ ଆମେ ତାର ପ୍ରଶଂସକ ବା ଫ୍ୟାନ ହୋଇଯାଉ । ଏମିତି ଦେଖିବାକୁ ଗଲେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ ଫ୍ୟାନ ହେଉଛନ୍ତି ଖଗେଶ୍ୱର । ସେ ନିଜକୁ ନବୀନଙ୍କ ଉର୍ଦ୍ଦେଶ୍ୟରେ କିଭଳି ସମର୍ପିତ କରିଛନ୍ତି ତାହା ଓଡିଶାବାସୀ ଦେଖୁଛନ୍ତି । ସେହିଭଳି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କର ମଧ୍ୟ ଜଣେ କଠୋର ପ୍ରଶଂସକ ରହିଛନ୍ତି । ନାଁ ତାଙ୍କର ସୁଧୀର କୁମାର , ସଚିନ ତେନ୍ଦୁଲକର ଯେଉଁଠି ବି ମ୍ୟାଚ ଖେଳିବାକୁ ଯାଆନ୍ତି ତା ପୂର୍ବରୁ ସୁଧୀର କୁମାର ସେଠାରେ ପହଂଚିଯାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଫ୍ୟାନଙ୍କ କଥା କହିବାକୁ ଯାଉଛୁ ଯେ କି, ନିଜର ଆଦର୍ଶଙ୍କୁ ଭେଟିବାକୁ ଦୀର୍ଘ ୧୪ ବର୍ଷ ହେବ ଅନ୍ନ ଛାଡି ଦେଇଛନ୍ତି । ଆମେ କହୁଛୁ ମଧ୍ୟ ପ୍ରଦେଶର ମହେନ୍ଦ୍ର ସିଂ କାଟରିଆଙ୍କ କଥା । ଦୀର୍ଘ ୧୪ବର୍ଷ ଧରି ସେ ରାହୁଲଙ୍କୁ ଭେଟିବାକୁ ଚେଷ୍ଟା ଚଳାଇଛନ୍ତି । ଏନେଇ ସେ ଅନ୍ନ ତ୍ୟାଗ କରି କେବଳ ଦୁଗ୍ଧ ପାନ କରି ବଞ୍ଚିଛନ୍ତି । ଏବେ ସେ ରାହୁଲଙ୍କୁ ଭେଟିବାକୁ ମଧ୍ୟ ପ୍ରଦେଶରୁ ଦିଲ୍ଲୀ ପର୍ଯ୍ୟନ୍ତ ପାଦଯାତ୍ରା ଆରମ୍ଭ କରିଛନ୍ତି ।

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବାର ଜିଦ୍ ଧରି ୧୪ ବର୍ଷ ହେବ ଅନ୍ନ ତ୍ୟାଗ କରିଛନ୍ତି ମହେନ୍ଦ୍ର ସିଂ କଟାରିଆ । କେବଳ ଅନ୍ନ ତ୍ୟାଗ କରିନାହାଁନ୍ତି ୧୪ବର୍ଷ ଧରି ଭଗବାନ ମହାଦେବଙ୍କ ଉପାଶନା କରୁଛନ୍ତି । ହେଲେ ବିଡମ୍ବନାର କଥା କି, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଓ ଦିଗବିଜୟ ସିଂ ଏପର୍ଯ୍ୟନ୍ତ ମହେନ୍ଦ୍ରଙ୍କୁ ରାହୁଲ ଗାନ୍ଧୀଙ୍କ ସହ ଭେଟ କରାଇବାରେ ସଫଳ ହୋଇ ନାହାଁନ୍ତି । ଏସବୁ ଭିତରେ ମହେନ୍ଦ୍ର ଏବେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ମଧ୍ୟ ପ୍ରଦେଶରୁ ଦିଲ୍ଲୀ ପଦଯାତ୍ରା ଆରମ୍ଭ କରିଛନ୍ତି ।

ମଧ୍ୟପ୍ରଦେଶର ମୁଙ୍ଗାବାଲି ବିଧାନସଭା ବମୋରୀ ଖୁଟିଆ ଗାଁରେ ରହନ୍ତି ମହେନ୍ଦ୍ର ସିଂ କଟାରିଆ । କଟାରିଆଙ୍କ ପ୍ରେମ ଡାଏରୀରେ ନା ରହିଛି ପିତାମାତାଙ୍କ ନାମ ନା ପ୍ରେମିକାର ନାମ ନା କୌଣସି ସିନେତାରକା କି ଖେଳାଳୀଙ୍କ ନାମ । କଟାରିଆଙ୍କ ପ୍ରେମ ଡାଏରୀରେ କେବଳ ରାହୁଲ ଗାନ୍ଧୀ ହିଁ ରାହୁଲ ଗାନ୍ଧୀ । ରାହୁଲଙ୍କୁ ଭେଟିବାର ଜିଦ୍ ପାଇଁ ସେ ୧୪ ବର୍ଷ ହେବ ଅନ୍ନ, ଫଳ ଓ ପନିପରିବା ଛାଡି କେବଳ ଦୁଗ୍ଧ ପିଇ ବଞ୍ଚିଛନ୍ତି । ନିଶା କେବେ ନା କେବେ ସେ ରାହୁଲ ଗାନ୍ଧୀଙ୍କ ସହ ଭେଟ କରିବେ ।

ଯୁବକ ମହେନ୍ଦ୍ର କଟାରିଆ କହନ୍ତି କି, ସେ ରାଜ୍ୟ କଂଗ୍ରେସର ମୁଖ୍ୟ କମଲନାଥ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ତକ୍ରାଳୀନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ, ଜୟବର୍ଦ୍ଧନ ସିଂଙ୍କ ସହ ଅନେକ ନେତାଙ୍କୁ ରାହୁଲ ଗାନ୍ଧୀଙ୍କ ସହ ଭେଟ କରାଇଦେବାକୁ ଗୁହାରୀ କରିଛନ୍ତି । ହେଲେ କୌଣସି ନେତା ତାଙ୍କୁ ସହଯୋଗ କରିନଥିବା କଥା କହିଛନ୍ତି ମହେନ୍ଦ୍ର । ଏଣୁ ଏବେ ସେ ମଧ୍ୟପ୍ରଦେଶରୁ ଦିଲ୍ଲୀ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଛନ୍ତି ।

ସେପଟେ ମହେନ୍ଦ୍ର ୧୪ବର୍ଷ ଧରି ଅନ୍ନ ତ୍ୟାଗ କରିବାକୁ ନେଇ ପରିବାର ଲୋକ ଦୁଖରେ ଅଛନ୍ତି । ଏନେଇ ପରିବାର ଲୋକଙ୍କ ତରଫରୁ ବି ଅନେକ କଂଗ୍ରେସ ନେତାଙ୍କୁ ଚିଠିଲେଖି ମହେନ୍ଦ୍ରଙ୍କୁ ରାହୁଲ ଗାନ୍ଧୀଙ୍କ ସହ ଭେଟ କରାଇଦେବାକୁ ଅନୁରୋଧ କରିଛନ୍ତି । ହେଲେ କୌଣସି ନେତା ତାଙ୍କୁ ସହଯୋଗର ହାତ ବଢାଇ ନଥିବା କଥା ପରିବାର ଲୋକ କହିଛନ୍ତି ।