କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ । ପରାଜୟ ପାଇଁ ନିଜକୁ କଲେ ଦାୟୀ, କହିଲେ ଖୁବଶୀଘ୍ର ବଛାହେଉ ନୂଆ ସଭାପତି ।

151

କନକ ବ୍ୟୁରୋ : କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ । ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳୀୟ ସଭାପତି ପଦ ଛାଡିଛନ୍ତି ରାହୁଲ । ଦଳୀୟ ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ଟ୍ୱିଟରରେ ଜଣାଇବା ସହ ଏହି ପଦରୁ କାହିଁକି ଇସ୍ତଫା ଦେଊଛନ୍ତି ତାହାର କାରଣ ମଧ୍ୟ ଦର୍ଶାଇଛନ୍ତି ରାହୁଲ । ଚାରି ପୃଷ୍ଠାର ଇସ୍ତଫାପତ୍ରରେ ସଭାପତି ପଦ ଛାଡିବାର ପୂରା କାରଣ ଲେଖିଛନ୍ତି ରାହୁଲ ।

ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ରାହୁଲ ନିଜକୁ ଦାୟୀ କରିବା ସହ ସଭାପତି ପଦରୁ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି । ଏହାସହ ରାହୁଲ ଇସ୍ତଫାପତ୍ର ଲେଖିଛନ୍ତି, ଦଳର ଅଭିବୃଦ୍ଧି ସମସ୍ତେ ଉତ୍ତରଦାୟୀ ରହିବା ଆବଶ୍ୟକ । ଏହାସହ ଦଳ ଖୁବଶୀଘ୍ର ନୂଆ ସଭାପତି ବାଛିବା ଦରକାର ବୋଲି କହିଛନ୍ତି ରାହୁଲ । କଂଗ୍ରେସର ସଭାପତି ପଦରେ ରହିବା ମୋ ପାଇଁ ଗର୍ବର ବିଷୟ । ଦଳ ପକ୍ଷରୁ ମୋତେ ଯେଉଁ ଭଲ ପାଇବା ମିଳିଛି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାହୁଲ ।

ଏହାସହ ରାହୁଲ କହିଛନ୍ତି ସଭାପତି ପଦରୁ ଇସ୍ତଫା ଦେବା ନେଇ ଯେତେବେଳେ ସିଇସି କମିଟିକୁ ଜଣାଇଥିଲି ସେତେବେଳେ ମୋର ଏହି ନିଷ୍ପତିକୁ ବିରୋଧ କରିବା ସହ ଅନେକ ନେତା ଓ କର୍ମୀ ଧାରଣାରେ ମଧ୍ୟ ବସିଥିଲେ । ଏପରିକି କିଛି ସହଯୋଗୀ ନୂଆ ସଭାପତିଙ୍କ ଚୟନ ମୁଁ କରେ ବୋଲି ମତ ଦେଇଥିଲେ । କିନ୍ତୁ ଏଭଳି ଏକାକୀ ସଭାପତି ଚୟନ କରିବା ସମ୍ପୂର୍ଣ୍ଣ ଭୂଲ । ତେଣୁ ଦଳ ନିଷ୍ପତି ନେଉ ଯେ କାହାକୁ କଂଗ୍ରେସର ନେତୃତ୍ୱ ଦିଆଯିବ । ଯିଏ କଂଗ୍ରେସକୁ ଏଭଳି କଠିନ ପରିସ୍ଥିତିରେ ଆଗେଇ ନେବା ସହ ନିଜର ଦାୟିତ୍ୱ ଠିକ୍ ଭାବରେ ତୁଲାଇପାରିବ ।
ଏହାପୂର୍ବରୁ ୨୦୧୭ ମସିହାରେ ରାହୁଲ ଗାନ୍ଧୀ କଂଗ୍ରେସର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ରାହୁଲଙ୍କ ନେତୃତ୍ୱରେ ଦଳ କିଛି ରାଜ୍ୟରେ ସଫଳତା ପାଇଥିବା ବେଳେ କିଛି ରାଜ୍ୟରୁ ଶାସନ କ୍ଷମତାରୁ ବିଦା ହୋଇଥିଲା । ଖାସକରି ରାହୁଲଙ୍କ ନେତୃତ୍ୱରେ ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟକୁ ଅକ୍ତିଆର କରିଥିଲା କଂଗ୍ରେସ । ସେହିଭଳି ଗୁଜୁରାଟରେ ବିଜେପିକୁ କଡା ଟକ୍କର ଦେଇଥିଲା । ଅନ୍ୟପଟେ କର୍ଣ୍ଣାଟକ, ଆସାମ ଭଳି କଂଗ୍ରେସ ଶାସିତ ରାଜ୍ୟ ମଧ୍ୟ ଦଳ ହାତରୁ ଖସିଛି । ଆଉ ଏସବୁ ଭିତରେ ଚଳିତ ସାଧାରଣ ନିର୍ବାଚନ ରାହୁଲଙ୍କ ପାଇଁ ଥିଲା ଏସିଡ୍ ଟେଷ୍ଟ । କାରଣ ରାହୁଲଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇଥିଲା କଂଗ୍ରେସ । କିନ୍ତୁ ରାହୁଲଙ୍କ ନେତୃତ୍ୱକୁ ଲୋକେ ଗ୍ରହଣ କରି ନଥିବା ବେଳେ ଦେଶରେ ପୁଣିଥରେ ଉଡ଼ିଥିଲା ଗେରୁଆ ବାନା । ମାତ୍ର ୫୨ଟି ଆସନରେ ସୀମିତ ରହିଥିଲା କଂଗ୍ରେସ ଦଳ । ଆଉ ଏଭଳି ପରାଜୟ ପାଇଁ ନିଜକୁ ଦାୟୀ କରିବା ସହ ନୈତିକତା ଦୃଷ୍ଟିରୁ ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ।