ସର୍ତ୍ତ ରଖି ସଭାପତି ଦାୟିତ୍ୱ ସମ୍ଭାଳିବାକୁ ରାଜି ହେଲେ ରାହୁଲ । ମାସେ ଭିତରେ ବିକଳ୍ପ ଖୋଜିବାକୁ ସର୍ତ୍ତ ରଖିଥିବା ସୂଚନା । ପ୍ରିୟଙ୍କାଙ୍କୁ ବି ଦୂରେଇ ରଖିବାକୁ ମତ

363

କନକ ବ୍ୟୁରୋ: ସର୍ତ୍ତ ରଖି କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବାକୁ ରାଜି ହୋଇଛନ୍ତି ରାହୁଲ ଗାନ୍ଧି । ମାସେ ଭିତରେ ତାଙ୍କର ବିକଳ୍ପ ଖୋଜିବାକୁ ରାହୁଲ ସର୍ତ ରଖିଥିବା ସୂଚନା ମିଳିଛି । ଲୋକସଭା ନିର୍ବାଚନରେ ବଡ ଝଟକା ପରେ କଂଗ୍ରେସରେ ସଭାପତି ପଦ ଛାଡିବାକୁ ରାହୁଲ ଗାନ୍ଧି ଅଡିବସିଥିବାବେଳେ ତାଙ୍କୁ ମନାଇବା ପାଇଁ ପ୍ରିୟଙ୍କା ଗାନ୍ଧି, ରଣଦୀପ ସୁର୍ଯ୍ୟେୱାଲା, ସଚିନ ପାଇଟଲ,ଅଶୋକ ଗେହଲଟ ଭେଟିଥିଲେ । ଏବଂ ତାଙ୍କର ବିକଳ୍ପ ମିଳୁନଥିବାରୁ ରାହୁଲ ତାଙ୍କ ନିଷ୍ପତିର ପୁନଃବିଚାର କରିବାକୁ ଅନୁରୋଧ କରିଥିଲେ ।

ରାହୁଲଙ୍କୁ କୁହାଯାଇଛି, ବର୍ତ୍ତମାନ ସୁଦ୍ଧା ଦଳକୁ ବିକଳ୍ପ ମିଳିନାହିଁ । ତେଣୁ ସେ ନିଜ ଇଚ୍ଛା ଅନୁସାରେ ଦଳରେ ଯାହା ବି ପରିବର୍ତନ କରିପାରିବେ । ଯେଭଳି ଚାହିଁଲେ ସେଭଳି ଦଳ ଚଳାଇପାରିବେ । ଏହାପରେ ରାହୁଲ ଗାନ୍ଧି ନିଜ ଆଭିମୁଖ୍ୟରେ ନରମ ମନୋଭାବ ପୋଷଣ କରିଥିବା ଆଶା କରାଯାଉଛି । ପ୍ରିୟଙ୍କା ଗାନ୍ଧିଙ୍କ ସହ ଅହମ୍ମଦ ପଟେଲଙ୍କ କିଛି ରାଉଣ୍ଡ ବୈଠକରେ ପରେ ଏ ନେଇ ସହମତି ହୋଇଛି । ଲୋକସଭା ନିର୍ବାଚନରେ ଖରାପ ଫଳାଫଳ ପରେ କଂଗ୍ରେସ କାର୍ଯ୍ୟକାରିଣୀରେ ରାହୁଲ ଗାନ୍ଧି ଇସ୍ତଫା ବିଷୟ ଘୋଷଣା କରିଥିଲେ । ପରେ ତାଙ୍କୁ ମନେଇବାକୁ ଉଦ୍ୟମ ହୋଇଥିଲେ ବି ସେ ଇସ୍ତଫା ଜିଦରେ ଅଟଳ ରହିଥିଲେ । ଏପରିକି ସେ ନବନିର୍ବାଚିତ ସାଂସଦଙ୍କୁ ଦେଖା ବି କରିନଥିଲେ ।

ସେପଟେ ଶୋଚନୀୟ ପରାଜୟ ପରେ ବିଭିନ୍ନ ରାଜ୍ୟର କଂଗ୍ରେସ ସଭାପତିଙ୍କ ଇସ୍ତଫାର ସୁଅ ଜାରି ରହିଛି । ୟୁପି, ଓଡିଶା ଓ ମହାରାଷ୍ଟ୍ର ପରେ ଆଉ ୩ ରାଜ୍ୟର କଂଗ୍ରେସ ମୁଖ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପଞ୍ଜାବ, ଆସାମ ଓ ମହାରାଷ୍ଟ୍ରର ପିସିସି ସଭାପତି ନିଜ ପଦରୁ ଇସ୍ତଫା ଦେଇଛନ୍ତି ।