ରାଫେଲ୍ ପ୍ରସଙ୍ଗରେ ମୋଦିଙ୍କୁ ଘେରିଲେ ରାହୁଲ ! କହିଲେ, ରାଫେଲ୍ ଆଣିବାରେ ବିଜେପି କରିଛି ବିଳମ୍ବ ।

140

କନକ ବ୍ୟୁରୋ : ରାଫେଲ ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି । ରାଫେଲକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଗତକାଲି ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇ ରାଫେଲ୍ ପ୍ରସଙ୍ଗ ଉଠାଇବା ସହ କଂଗ୍ରେସ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସମାଲୋଚନାର ଜବାବ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ରାହୁଲ କହିଛନ୍ତି ରାଫେଲ୍ ଆଣିବାରେ ବିଜେପି ସରକାର ହିଁ ବିଳମ୍ବ କରିଛି । ତେବେ ଏନେଇ ଗତକାଲି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଲାଜ ନାହିଁ ବୋଲି ପ୍ରଶ୍ନ କରିଥିଲେ ରାହୁଲ ।

ରାହୁଲ କହିଛନ୍ତି, ମୋଦି ୩୦ ହଜାର କୋଟି ଟଙ୍କା ଚୋରି କରିଛନ୍ତି ଏବଂ ତାଙ୍କୁ ବନ୍ଧୁ ଅନିଲ ଅମ୍ବାନୀଙ୍କୁ ସେହି ଟଙ୍କା ଦେଇଛନ୍ତି । ଏବଂ ବିଜେପି ସରକାର ପାଇଁ ହିଁ ରାଫେଲ୍ ବିମାନ ଆସିବାରେ ବିଳମ୍ବ ହେଉଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି, ମୋଦିଙ୍କ ପାଇଁ ଅଭିନନ୍ଦନଙ୍କ ଭଲି ବୀର ପାଇଲଟଙ୍କୁ ପୁରୁଣା ବିମାନ ଉଡାଇବା ସହ ନିଜ ଜୀବନକୁ ବିପଦରେ ପକାଇବାକୁ ପଡୁଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ସୂଚନା ଅନୁଯାୟୀ, ବିଗତ କିଛି ମାସ ଧରି ରାଫେଲ୍ ପ୍ରସଙ୍ଗରେ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହେଉଛନ୍ତି । ରାଫେଲ୍ ଆସିବାରେ ହେଉଥିବା ବିଳମ୍ବ ପାଇଁ ଉଭୟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି ।