କେନ୍ଦ୍ର ସରକାରଙ୍କୁ ଘେରିବାକୁ ରାହୁଲଙ୍କ ନୂଆ ରଣନୀତି । ବିରୋଧୀ ଦଳ ନେତାଙ୍କ ସହ ଜଳଖିଆ ଖାଇବା ପରେ ସାଇକେଲ ରାଲିରେ ଆସିଲେ ସଂସଦ ।

134

କନକ ବ୍ୟୁରୋ : ପେଗାସସ ପ୍ରସଙ୍ଗକୁ ନେଇ ମୌସୁମୀ ଅଧିବେଶନ ଅଚଳ ହୋଇଥିଲା । ଏବେ ତୈଳଦର ବୃଦ୍ଧିକୁ ନେଇ ସଂସଦକୁ ଅଚଳ କରିବାକୁ ଯୋଜନା କରିଛନ୍ତି ବିରୋଧୀ । ଏହି କ୍ରମରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରାହୁଲଙ୍କ ନୂଆ ରଣନୀତି । ଆଜି ୧୫ ବିରୋଧୀ ଦଳ ନେତାଙ୍କ ସହ ଜଳଖିଆ କରିବା ପରେ ସାଇକେଲ ରାଲିରେ ଆସିଥିଲେ ସଂସଦକୁ । ଏଥିରେ ୧୧ଟି ରାଜନୈତିକ ଦଳର ସାଂସଦ ସାମିଲ ହୋଇଥିଲେ । ତେବେ ତୈଳଦର ବୃଦ୍ଧି ପ୍ରତିବାଦରେ ରାହୁଲଙ୍କ ସାଇକେଲ ରାଲି ଚର୍ଚ୍ଚା ସୃଷ୍ଟି କରିଛି ।

ମଙ୍ଗଳବାର କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏପରି ଢଙ୍ଗରେ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି , ଯାହା ସାରାଦେଶର ଦୃଷ୍ଟି ଆକର୍ଷଣ କରିବ । ଏହାର ମଙ୍ଗ ଧରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ତୈଳଦର ବୃଦ୍ଧି ପ୍ରତିବାଦରେ ଦିଲ୍ଲୀରେ ପ୍ରାୟ ୧୫ଟି ବିରୋଧୀ ଦଳ ସହିତ ସକାଳେ ବୈଠକ କରିଥିଲେ ରାହୁଲ । ବୈଠକରେ ସମାନ୍ତରାଳ ସଂସଦ ଚଳାଇବାକୁ ବିରୋଧୀ ଆଲୋଚନା କରିଥିଲେ । ଏହି ଅବସରରେ ସମସ୍ତ ବିରୋଧୀ ଏକ ହୋଇ ସ୍ୱର ଜୋର୍ କରିବାକୁ ଅପିଲ କରିଥିଲେ ରାହୁଲ ।

ବୈଠକ ପରେ ବିରୋଧୀ ଦଳ ନେତାଙ୍କ ସହ ଜଳଖିଆ କରିଥିଲେ ରାହୁଲ ଗାନ୍ଧୀ । ଏହି ଜଳଖିଆ ପରେ କନଷ୍ଟିଚ୍ୟୁସନ କ୍ଲବରୁ ସଂସଦକୁ ବାହାରିଥିଲା ରାହୁଲଙ୍କ ସାଇକେଲ ରାଲି । ରାହୁଲଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ସାଂସଦ ମଧ୍ୟ ସାମିଲ ହୋଇଥିଲେ ଏହି ରାଲିରେ । ଉଦ୍ଦେଶ୍ୟ ଗୋଟିଏ , ତୈଳ ଦର ବର୍ତମାନ ଶହେ ଟପିଥିବା ବେଳେ , ଦେଶର ସାଧାରଣ ଜନତା କିପରି ହନ୍ତସନ୍ତ ହେଉଛନ୍ତି ସେ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ।

କଂଗ୍ରେସ, ତୃଣମୂଳ କଂଗ୍ରେସ , ଶିବସେନା, ଏନସିପି, ଡିଏମକେ , ଆରଜେଡି, ଏସପି, ସିପିଆଇଏମ୍, କେରଳ କଂଗ୍ରେସ, ଜେଏମଏମ୍, ନାସନାଲ କନଫରେନ୍ସ, ଏଲଜେଡି, ପରି ୧୫ ରାଜନୈତିକ ଦଳ ରାହୁଲଙ୍କ ବ୍ରେକଫାଷ୍ଟ ମିଟିଂରେ ସାମିଲ ହୋଇଥିଲେ । ହେଲେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ଏବଂ ମାୟାବତୀଙ୍କ ବିଏସପି କିନ୍ତୁ ବୈଠକରୁ ନିଜକୁ ଦୂରେଇ ରଖିଥିଲା । ଏହି ବୈଠକ ସହ ରାହୁଲ ଗାନ୍ଧିଙ୍କ ଜଳଖିଆ ଏବଂ ଏହା ପରେ ସାଇକେଲ ରାଲିର ରାଜନୀତି ପୁରା ଚର୍ଚ୍ଚାକୁ ଆସିଛି । ସେପଟେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି ଏହାକୁ ମୂଲ୍ୟହୀନ ବୋଲି କହିଛନ୍ତି ।

ମୌସୁମୀ ଅଧିବେଶନ ଆରମ୍ଭ ଦିନରୁ ଗୃହ ଏକ ପ୍ରକାର ଅଚଳ ହୋଇ ରହିଛି । ପେଗାସସକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବର୍ତମାନ ସମସ୍ତ ବିରୋଧୀ ଏକ ହୋଇ ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରାହୁଲ ଆହ୍ୱାନ କରିଛନ୍ତି । ଏପରି ସମୟରେ ତୈଳଦର ବୃଦ୍ଧିକୁ ବଡ ମୁଦ୍ଦା କରିଛି କଂଗ୍ରେସ ।