କୁସ୍ତି ଆଖଡ଼ାରେ କଂଗ୍ରେସ ସାଂସଦ: ହରିଆଣା ଆର୍ଯ୍ୟ ଆଖଡ଼ାଶାଳରେ ପହଁଚି କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

72

କନକ ବ୍ୟୁରୋ: ଶୀତୁଆ ସକାଳରେ କୁସ୍ତି ଆଖଡ଼ାରେ ନଜର ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ବୁଧବାର ସକାଳୁ ହରିୟାଣା ଛାର ଗାଁରେ ଥିବା କୁସ୍ତି ଆଖଡ଼ାରେ ପହଁଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ରାହୁଲ । ଏଠାରେ ଥିବା ବୀରେନ୍ଦ୍ର ଆର୍ଯ୍ୟ ଆଖାଡ଼ାରେ ପହଁଚିବା ପରେ କୁସ୍ତିଯୋଦ୍ଧାଙ୍କୁ ଭେଟିବା ସହ କିଭଳି କୁସ୍ତି ଅଭ୍ୟାସ କରାଯାଏ ସେହି ବାବଦରେ ପଚାରି ବୁଝିଥିଲେ । କେବଳ ସେତିକି ନୁହେଁ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ସହ ଏକାଠି ମିଶି କିଛି କସରତ ମଧ୍ୟ କରିଥିଲେ ରାହୁଲ । ସୋସିଆଲ ମିଡିଆରେ ଏମାନଙ୍କ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି ।

ଆଖଡ଼ାରେ ହଠାତ ପହଁଚିଥିଲେ ରାହୁଲ । ତାଙ୍କ ଗସ୍ତ ବାବଦରେ କାହାରି ପାଖରେ କୌଣସି ଖବର ନଥିଲା । ତେଣୁ ରାହୁଲଙ୍କ ସ୍ୱାଗତ ପାଇଁ କୌଣସି ପ୍ରସ୍ତୁତି ମଧ୍ୟ କରାଯାଇନଥିଲା । ରାହୁଲଙ୍କୁ ନିଆରା ଢଙ୍ଗରେ କୁସ୍ତିଯୋଦ୍ଧା ସ୍ୱାଗତ କରିଥିଲେ । ପୁଷ୍ପଗୁଚ୍ଛ ବଦଳରେ କ୍ଷେତ୍ରରୁ ତାଜା ମୂଳା ତୋଣି ଆଣି ରାହୁଲଙ୍କୁ ଦେଇଥିଲେ କୁସ୍ତିଯୋଦ୍ଧା ।

ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂ ଓ ନୂଆ ସଭାପତି ସଂଜୟ ସିଂଙ୍କୁ ନେଇ ବିବାଦ ଥମିବା ନା ନେଉନି । ସେପଟେ ଜଣଙ୍କ ପରେ ଜଣେ କୁସ୍ତିଯୋଦ୍ଧାର ପଦ୍ମଶ୍ରୀ ଓ ଅନ୍ୟାନ୍ୟ ସମ୍ମାନୀୟ ପଦକ ଫେରାଇବା ପର୍ବ ଆରମ୍ଭ ହୋଇଛି । ଏହା ଭିତରେ ହରିଆଣାରେ ପହଁଚି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି ରାହୁଲ ଓ ସେମାନଙ୍କ ଲଢେଇକୁ କଂଗ୍ରେସ ସମର୍ଥନ ଜଣାଉଥିବା ଆଶ୍ୱସନା ମଧ୍ୟ ଦେଇଛନ୍ତି । ପୂର୍ବରୁ ଦିଲ୍ଲୀରେ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ମଧ୍ୟ କୁସ୍ତିଯୋଦ୍ଧାଙ୍କୁ ଭେଟି ମନୋବଳ ଓ ଆତ୍ମବିଶ୍ୱାସ ବଢାଇଥିଲେ ।