କନକ ବ୍ୟୁରୋ : ମୌସୁମୀ ଅଧିବେସନ ଚାଲିଥିବା ବେଳେ ଉଭୟ ଗୃହରେ ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଗୋଟିଏ ବି ଦିବସ ଠିକରେ ଚାଲି ପାରିନାହିଁ । ଚଳିତ ଅଧିବେଶନରେ ପେଗାସସ୍ ସ୍ପାଇ ୱେୟାର ମାମଲା ଓ କରୋନା ପରିଚାଳନାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହାରି ମଧ୍ୟରେ ସରକାର କହିଛନ୍ତି କି ଡିସେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ ଶେଷ ହେବ ।
କହିରଖୁ କି ଅଧିବେଶନରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡୁ ସାଂସଦ ରାହୁଲ ଗାନ୍ଧୀ ୧୮ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଟିକା ଓ ଏପର୍ଯ୍ୟନ୍ତ ଟିକକରଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ମାଗିଥିଲେ । ଏହାର ଉତ୍ତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଜ୍ୟମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱାର କହିଛନ୍ତି କି, ଟିକାକରଣ ଏକ ବ୍ୟାପକ ପ୍ରକ୍ରିୟା ଅଟେ । ୨୦୨୧ ଅଗଷ୍ଟରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୧୩୫ କୋଟି ଖୋରାକ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ଓ ଡିସେମ୍ବର ମାସ ସୁଦ୍ଧା ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ ଶେଷ ହେବ ।
A total of Rs 9725.15 crore have been spent so far on the COVID19 vaccination programme including procurement of vaccines & operational cost for vaccination: Dr Bharati Pravin Pawar, MoS (Health) in Lok Sabha
— ANI (@ANI) July 23, 2021
ସ୍ୱଦେଶୀ ଟିକା କିଣା ଓ ବର୍ତମାନ ପର୍ଯ୍ୟନ୍ତ ଟିକାକରଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ସ୍ୱଦେଶୀ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀରୁ ଟିକା କିଣିବା ନେଇ କିଛି ଡେରି କରାଯାଇନାହିଁ । କମ୍ପାନୀ ମାନଙ୍କୁ ଟିକା ପାଇଁ ଅଗ୍ରୀମ ଅର୍ଥ ଦିଆଯାଇଛି । ଏହାସହ ଟିକା କିଣିବା ଓ ଟିକାକରଣ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ୯୭୨୫.୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି ।
ସୂଚନା ଥାଉକି ମଙ୍ଗଳବାର ଦିନ ମୋଦୀ ସରକାର ରାଜ୍ୟସଭାରେ କହିଥିଲେ କି କରୋନାର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ ଅଭାବରୁ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇ ନାହିଁ । ସରକାର ଏହା କହିବା ସହ ଏନେଇ କୌଣସି ରାଜ୍ୟ ସରକାର ରିପୋର୍ଟ ଦେଇ ନଥିବା କଥା ବି କହିଥିଲେ । ସରକାରଙ୍କର ଏଭଳି ଉତ୍ତର ପରେ ଉଭୟ ସଦନରେ ବିରୋଧୀମାନେ ହୋ ହାଲ୍ଲା କରିଥିଲେ ।