୯ ସେକେଣ୍ଡରେ ୧୩ ଥର ପୁସଅପ୍ସ ମାରିବା ସହ ଛାତ୍ରଛାତ୍ରୀଙ୍କ ସହ ଡ୍ୟାନ୍ସ କଲେ ରାହୁଲ । ସେପଟେ ଆସାମରେ ଆଦିବାସୀ ଡାନ୍ସ କଲେ ପ୍ରିୟଙ୍କା ଗାନ୍ଧୀ ।

183

କନକ ବ୍ୟୁରୋ: ତାମିଲନାଡୁରେ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । କନ୍ୟାକୁମାରୀରେ ରୋଡ ସୋ କରିବା ପରେ ସେଟଂ ଜୋଶେଫ ସ୍କୁଲରେ ପହଁଚି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତା ହୋଇଥିଲେ ରାହୁଲ । ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ପରେ ଜଣେ ଛାତ୍ରୀଙ୍କ ପୁସ୍ଅପ୍ସ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ । ଦଶମ ଶ୍ରେଣୀ ଛାତ୍ର ମେରୋଲିନ ସେନିଘାଙ୍କ ଠାରୁ ଚ୍ୟାଲେଞ୍ଜ ଗ୍ରହଣ କରି ୯ ସେକେଣ୍ଡରେ ୧୩ ଥର ପୁସଅପ୍ସ ମାରିଥିଲେ ରାହୁଲ ।

ମଂଚ ଉପରେ ପୁସଅପ୍ସ ମାରିବା ପରେ ଗୋଟିଏ ହାତରେ ମଧ୍ୟ ପୁସଅପ୍ସ ମାରି ଫିଟନେସର ମନ୍ତ୍ର ଦେଇଥିଲେ ରାହୁଲ । କେବଳ ଏତିକି ନୁହେଁ ୯ ସେକେଣ୍ଡରେ ୧୩ ଥର ପୁସଅପ୍ସ କରି ଛାତ୍ରୀଙ୍କୁ ଗୋଟିଏ ହାତରେ ପୁସଅପ୍ସ କରିବା ପାଇଁ ପାଲଟା ଚ୍ୟାଲେଞ୍ଜ ଦେଇଥିଲେ । ପୁସଅପ୍ସ ସହ ରାହୁଲ ଆଇକିଡୋ ମଧ୍ୟ କରିଛନ୍ତି । ଗତ କିଛି ଦିନ ତଳେ କେରଳରେ ନିଜର ସିକ୍ସ ପ୍ୟାକ ଆବ୍ସ ମଧ୍ୟ ଦେଖାଇଥିଲେ ରାହୁଲ । କେରଳରେ ମତ୍ସଜୀବୀଙ୍କ ସହ ସମୁଦ୍ରକୁ ଯାଇ ତାଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସମୁଦ୍ର ଭିତରେ ପହଂରିଥିଲେ । ନିର୍ବାଚନୀ ପ୍ରଚାର ବେଳେ ସାଧାରଣ ଲୋକଙ୍କ ସହ ଆଲୋଚନା କରିବା ସହ ତାଙ୍କ ସହ ମିଶି ଚା ପିଇବା ଓ ତାଳସଜ ଖାଇବା ପରି ଦୃଶ୍ୟ ଦେଖିବାକୁ ମିଳିଛି । ଆଗକୁ ନିର୍ବାଚନ ଥିବା ବେଳେ ଏବେ କଂଗ୍ରେସର ଫୋକସରେ ରହିଛି ଦକ୍ଷିଣ ଭାରତୀୟ ରାଜ୍ୟ । କେରଳ, ତାମିଲନାଡୁ ଓ ପୁଡୁଚେରୀରେ ରାହୁଲ ଗାନ୍ଧୀ ଜୋରଦାର ନିର୍ବାଚନ ପ୍ରଚାର କରୁଛନ୍ତି । ଏହି ସମୟରେ ତାଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳୁଛି ।

ଅନ୍ୟପଟେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ପାଇଁ ପାଦରେ ପାଦ ମିଶାଇ ନୃତ୍ୟ ମଧ୍ୟ କରିଥିଲେ ରାହୁଲ । ସୋସିଆଲ ମିଡିଆରେ ରାହୁଲଙ୍କ ଏହି ଡ୍ୟାନ୍ସ ବେଶ ଧ୍ୟାନ ଆର୍କଷଣ କରିଛି । ରାହୁଲ ଗାନ୍ଧୀ ନିର୍ବାଚନୀ ପ୍ରଚାରରେ ବିରୋଧୀଙ୍କ ବିରୋଧରେ ବୟାନ ଦେଇ ଯେତିକି ଚର୍ଚ୍ଚାରେ ରହୁଛନ୍ତି ତାଠାରୁ ତାଙ୍କୁ ଅଧିକ ଚର୍ଚ୍ଚାରେ ରଖୁଛି ତାଙ୍କର ଡ୍ୟାନ୍ସ, ମତ୍ସ୍ୟଜୀବୀଙ୍କ ସହ ମାଛ ଧରିବା, ସମୁଦ୍ରରେ ପହଁରିବା ସହ ଏଭଳି ଅନେକ କିଛି ।

ଦକ୍ଷିଣରେ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର କରୁଥିବା ବେଳେ ପୂର୍ବ ରାଜ୍ୟ ଆସାମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆସାମ ଗସ୍ତରେ ପ୍ରିୟଙ୍କା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଗୁଆହାଟୀରେ କାମାକ୍ଷ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଲକ୍ଷ୍ମୀପୁରରେ ପହଁଚିଥିଲେ ପ୍ରିୟଙ୍କା । ଏହି ସମୟରେ ସେଠାକାର ଆଦିବାସୀଙ୍କ ସହ ପାରମ୍ପାରିକ ନୃତ୍ୟ ଝୁମୁର ଡ୍ୟାନ୍ସ କରିଥିଲେ ପ୍ରିୟଙ୍କା । ଆଦିବାସୀ ଯୁବତୀଙ୍କ ସହ ବେଶ କିଛି ସମୟ ଧରି ଡ୍ୟାନ୍ସ କରିଥିଲେ ପ୍ରିୟଙ୍କା ।