ଆସାମରେ ବିଜେପି ବିରୋଧରେ ଗର୍ଜିଲେ ରାହୁଲ । ୨ ଶହ ୟୁନିଟ୍ ମାଗଣା ବିଜୁଳି ,୫ ଲକ୍ଷ ରୋଜଗାର ଦେବାକୁ ଦେଲେ ପ୍ରତିଶ୍ରୁତି ।

103

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଆସାମର ଡିବ୍ରୁଗଡରେ ଜନସଭା କରିବା ସହିତ ବିଜେପି ଉପରେ ଟାର୍ଗେଟ କରିଛନ୍ତି । ଏଥିସହ ଆଗାମୀ ଆସାମ ନିର୍ବାଚନରେ ଯଦି କଂଗ୍ରେସ ସେଠାରେ ସରକାର ଗଠନ କରେ ତେବେ ତାଙ୍କ ସରକାର ସେଠାକାର ଲୋକଙ୍କୁ ୫ ଲକ୍ଷ ଚାକିରି ଦେବାକୁ ରାହୁଲ ଆଜି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆସାମରେ କଂଗ୍ରେସ ସରକାର ଗଢିଲେ, ସେଠାରେ କଦାପି ସିଏଏ ଲାଗୁ ହେବ ନାହିଁ ଏବଂ ସେଠାକାର ଲୋକଙ୍କୁ ସରକାର ୨ ଶହ ୟୁନିଟ୍ ଯାଏଁ ମାଗଣା ବିଜୁଳି ଦେବେ ବୋଲି ରାହୁଲ କହିଛନ୍ତି ।

ରାହୁଲ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ବିଜେପି ଚା ବଗିଚାରେ କାମ କରୁଥିବା ଲୋକଙ୍କୁ ୩୫୧ ଟଙ୍କା ଦେବାକୁ ଭରସା ଦେଇଥିଲା । ହେଲେ ଦେଲା ମାତ୍ର ୧୬୭ । ଏବେ କଂଗ୍ରେସ ଆସାମରେ ସରକାର ଗଠନ କଲେ ଚା ବଗିଚାରେ କାମ କରୁଥିବା ଲୋକଙ୍କୁ ୩୬୫ ଟଙ୍କା ଦିଆଯିବ । ଏଥିସହ ପ୍ରତି ଗୃହିଣୀଙ୍କୁ ୨ ହଜାର  ଲେଖାଏଁ ଟଙ୍କା ଦିଆଯିବ ବୋଲି ରାହୁଲ କହିଛନ୍ତି ।

ବିଜେପି ଉପରେ ଟାର୍ଗେଟ କରି ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ମେଡ୍ ଇନ୍ ଇଣ୍ଡିଆ କଥା କହିଥିଲେ, ହେଲେ ଆଜି ବି ମୋବାଇଲ୍ ଫୋନ ପଛରେ ମେଡ୍ ଇନ୍ ଚାଇନା ଲେଖା ଥିବା ଦେଖିବାକୁ ମିଳୁଛି । ବିଜେପି ଯୁବକମାନଙ୍କୁ ରୋଜଗାର ଦେବାରେ ସଫଳ ହୋଇନି । କେବଳ ସମାଜକୁ ବାଣ୍ଟିବାକୁ ବିଜେପି ଚେଷ୍ଟା କରୁଛି ବୋଲି ରାହୁଲ କହିଥିଲେ ।

 

Comments are closed.