କେବଳ ରାହୁଲ ଗାନ୍ଧୀ ନୁହଁନ୍ତି, ଗାନ୍ଧୀ ପରିବାରର ଇନ୍ଦିରା ଓ ସୋନିଆ ବି ହରାଇଥିଲେ ସଂସଦର ସଦସ୍ୟତା । ଜାଣନ୍ତୁ କାରଣ

5,303

କନକ ବ୍ୟୁରୋ : କେରଳ ୱାଇନାଡରୁ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ କମିବାର ନାଁ ନେଉନି । ମୋଦୀ ସାଙ୍ଗିଆକୁ ନେଇ ଦେଇଥିବା ବୟାନ ଉପରେ ପ୍ରଥମେ ସୁରତ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା । ଏହାର କିଛି ସମୟ ପରେ ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଯାଇଥିଲା । ହେଲେ କୋର୍ଟଙ୍କ ଦଣ୍ଡବିଧାନ କ୍ରମରେ ସଂସଦ ସଚିବାଳୟ ପକ୍ଷରୁ ରାହୁଲଙ୍କ ସାଂସଦ ପଦ ରଦ୍ଦ କରାଯାଇଛି ।

ଯଦି ଆମେ ଇତିହାସକୁ ନଜର ପକାଇବା ତେବେ ଗାନ୍ଧୀ ପରିବାରର କେବଳ ରାହୁଲ ଗାନ୍ଧୀ ନୁହଁନ୍ତି ତାଙ୍କ ପୂର୍ବରୁ ତାଙ୍କ ମା’ସୋନିଆ ଗାନ୍ଧୀ ଓ ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କର ମଧ୍ୟ ସଂସଦ ସଦସ୍ୟତା ପଦ ରଦ୍ଦ ହୋଇଥିଲା । ହେଲେ ଏକ ସମୟ ଏଭଳି ଥିଲା କି ଇନ୍ଦିରା ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ତାଙ୍କପାଇଁ ଶୁଭଙ୍କର ହୋଇଥିଲା ।

ଇନ୍ଦିରା ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପୂର୍ବରୁ ବିରୋଧୀଦଳମାନେ ଏକଜୁଟ ହୋଇଥିଲେ । ଇନ୍ଦିରା ଗାନ୍ଧୀ ସରକାରୀ କର୍ମଚାରୀଙ୍କୁ ଅପମାନିତ କରିବା ଓ ନିଜ ପଦର ଦୂରୋପଯୋଗ କରିବା ମାମଲାରେ ସେତେବେଳେ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ପ୍ରସ୍ତାବ ଆଣିଥିଲେ । ୭ଦିନର ଆଲୋଚନା ପରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ବିଶେଷଅଧିକାର ସମିତି ଗଠନ କରାଯାଇଥିଲା । ଏହି କମିଟି ଯାଞ୍ଚ ରିପୋର୍ଟରେ ଦର୍ଶାଇଥିଲା କି ଇନ୍ଦିରାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ଅଟେ । ଏହାପରେ ଇନ୍ଦିରା ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା ।
ସେହିଭଳି ୨୦୦୬ ମସିହାରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସମାନ ଅବସ୍ଥା ଭୋଗିବାକୁ ପଡିଥିଲା । ସେ ସାଂସଦ ଥାଇ ଏକ ଲାଭଜନକ ପଦବୀରେ ଥିବା ଅଭିଯୋଗରେ ତାଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ସେତେବେଳେ ସୋନିଆ ଗାନ୍ଧୀ ରାଏବରେଲୀରୁ ସାଂସଦ ଥିଲେ ଓ ୟୁପିଏ ସରକାର ସମୟରେ ଗଠିତ ରାଷ୍ଟ୍ରୀୟ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ମଧ୍ୟ ଥିଲେ । ଏହି କାରଣରୁ ସୋନିଆ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟତା ପଦରୁ ଇସ୍ତଫା ଦେବାକୁ ପଡିଥିଲା ।