କନକ ବ୍ୟୁରୋ : ବିଲକିସ୍ ବାନୋ ବଳତ୍କାର ମାମଲାରେ ଜେଲରୁ ମୁକୁଳିଥିବା ୧୧ ଅପରାଧୀଙ୍କୁ ପୁଣି ଜେଲ ଯିବାକୁ ପଡିବ । ଏନେଇ ସୁପ୍ରିମକୋର୍ଟ ସୋମବାର ଦିନ ରାୟ ଶୁଣାଇଛନ୍ତି । ଏହି ରାୟ ଆସିବା ପରେ ବିଲକିସ୍ ବାନୋଙ୍କ ପରିବାରରେ ଖୁସିର ମାହୋଲ । ସେପଟେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ କେନ୍ଦ୍ର ସରକାର ଓ ଗୁଜରାଟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି କି, ଅହଂକାରୀ ବିଜେପି ସରକାର ଉପରେ ଏହା ନ୍ୟାୟର ବିଜୟ । ଏହାସହ ଏହା ବିଲକିସ୍ ବାନୋଙ୍କ ସଂଘର୍ଷର ବିଜୟ ବୋଲି ମଧ୍ୟ ସେ କହିଛନ୍ତି ।

Advertisment

ଋାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟର (ଏକ୍ସ)ରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ନିର୍ବାଚନ ବିଜୟର ଫାଇଦା ନେଇ ନ୍ୟାୟକୁ ହତ୍ୟା କରିବାର ପ୍ରବୃତି ଲୋକତନ୍ତ୍ର ବ୍ୟବସ୍ଥା ପାଇଁ ବିପଦ । ଆଜି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ପଷ୍ଟ କରିଛନ୍ତି କି, ଅପରାଧୀମାନଙ୍କୁ କିଏ ସୁରକ୍ଷା ଦେଉଛି, ବିଲକିସ୍ ବାନୋଙ୍କ ସଂଘର୍ଷ ଅହଂକାରୀ ବିଜେପି ସରକାର ବିରୋଧରେ ନ୍ୟାୟର ପ୍ରତୀକ ବୋଲି ସେ ଲେଖିଛନ୍ତି ।

ଋାହୁଲ ଗାନ୍ଧୀଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ରାୟ ଆସିବା ପରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି କି, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିଜେପିର ମହିଳା ବିରୋଧୀ ନୀତିକୁ ପଦାରେ ପକାଇଛି, ଏହି ରାୟ ପରେ ନ୍ୟାୟପାଳିକା ଉପରେ ସାଧାରଣ ଲୋକଙ୍କର ଅସ୍ଥା ବଢିଛି । ଏହାସହ ନିଜ ଲଢେଇ ନିଜେ ଲଢି ବିଜୟୀ ହୋଇଥିବାରୁ ସେ ବିଲକିସ୍ ବାନୋଙ୍କୁ ଧନ୍ୟବାଦ ଜଣାଇଛନ୍ତି    ।

ଶୁକ୍ରବାର ଦିନ ସୁପ୍ରିମକୋର୍ଟ ବିଲକିସ୍ ବାନୋଙ୍କ ବଳତ୍କାର ମାମଲା ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିବା ମାମଲାରେ ୧୧ ଜଣ ଅପରାଧୀଙ୍କୁ ମୁକ୍ତ କରିବା ନେଇ ଗୁଜରାଟ ସରକାରଙ୍କୁ କଟାକ୍ଷ କରିଛନ୍ତି । ଏହାସହ ସେ କୋର୍ଟଙ୍କ ରାୟକୁ ବଦଳାଇ ଦେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିବି ନାଗରତ୍ନା ଓ ଜଷ୍ଟିସ ଓଜ୍ୱଳ ଭୂୟାଁଙ୍କ ବେଞ୍ଚ ଏହି ମାମଲାର ନିଷ୍ପତ୍ତି ଶୁଣାଇଛନ୍ତି ।
ବେଞ୍ଚ ଲଗାତର ୧୧ ଦିନ ଶୁଣାଣି କରିବା ପରେ ଅକ୍ଟୋବର ୧୨ ତାରିଖରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଆଜି ରାୟ ଶୁଣାଇବା ଅବସରରେ କୋର୍ଟ ଗୁଜରାଟ ସରକାରଙ୍କୁ କଟାକ୍ଷ କରିବା ସହ ଜେଲରୁ ମୁକୁଳିଥିବା ୧୧ ଅପରାଧୀଙ୍କୁ ଦୁଇ ସପ୍ତାହ ଭିତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।