ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବେ କି ରାହୁଲ ଗାନ୍ଧୀ? ଜାଣନ୍ତୁ ଭାରତ ଯୋଡ ନ୍ୟାୟ ଯାତ୍ରାରେ କଣ କହିଲେ ରାହୁଲ?

94

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏହି ଭବ୍ୟ ସମାରୋହରେ ସାମିଲ ହେବାକୁ ଦେଶ ବିଦେଶରେ ଥିବା ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ କଂଗ୍ରେସ ନିଜକୁ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବରୁ ଦୂରେଇ ରଖିଛି । ଏହା ଭିତରେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ରାହୁଲ ଗାନ୍ଧି । ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାହୁଲ । ତେବେ ନ ଯିବା ପଛର କାରଣ ଦର୍ଶାଇଛନ୍ତି ରାହୁଲ । ସେ କହିଛନ୍ତି, ୨୨ ଜାନୁଆରୀର କାର୍ଯ୍ୟକ୍ରମ ରାଜନୈତିକ ଇଭେଣ୍ଟ ଭଳି ଲାଗୁଛି । ଆମେ ସମସ୍ତ ଧର୍ମ ସହ ରହିଛୁ । ମୋତେ ଧର୍ମ ରାଜନୀତିରୁ ଫାଇଦା ଉଠାଇବାର ନାହିଁ, କାରଣ ମୁଁ ଏଭଳି ରାଜନୀତି ପାଇଁ ମୁଁ ଇଚ୍ଛୁକ ନୁହେଁ । ଯେଉଁମାନେ ସେଠାକୁ ଯିବାକୁ ଇଚ୍ଛୁକ ସେମାନେ ଯାଇପାରିବେ କିନ୍ତୁ ଉକ୍ତ ଦିନ ମୁଁ ସେଠାକୁ ଯିବି ନାହିଁ । କାରଣ ମନ୍ଦିର ପ୍ରତିଷ୍ଠା ନାଁରେ କୌଣସି ରାଜନୈତିକ ଇଭେଣ୍ଟକୁ ମୁଁ ଯାଇପାରିବି ନାହିଁ ।

ରାହୁଲ କହିଛନ୍ତି, ଯେଉଁମାନେ ବାସ୍ତବରେ ଧର୍ମକୁ ମାନନ୍ତି ସେମାନେ ଧର୍ମ ସହ ନିଜର ସମ୍ପର୍କ ରଖିଥାନ୍ତି । ମୁଁ ଧାର୍ମିକ ସିଦ୍ଧାନ୍ତ ଅନୁଯାୟୀ ଜୀବନ ବଞ୍ଚିବାକୁ ଚେଷ୍ଟା କରୁଛି । ଲୋକଙ୍କ ସହ ଉତ୍ତମ ଆଚରଣ ସହ ସେମାନଙ୍କୁ ସମ୍ମାନ ଦିଏ । ମୁଁ ଘୃଣାଭାବ ସୃଷ୍ଟି କରେନି । ଏହା ହିଁ ହିନ୍ଦୁ ଧର୍ମର ମୂଳମନ୍ତ୍ର । ଯେଉଁମାନେ ଲୋକଦେଖାଣିଆ ଭାବେ ଧର୍ମରେ ବିଶ୍ୱାସ କରନ୍ତି ସେମାନେ ଧର୍ମ ଜରିଆରେ ଲାଭ ଉଠାଇବାକୁ ଚେଷ୍ଟା କରନ୍ତି । ୨୨ ଜାନୁଆରୀର କାର୍ଯ୍ୟକ୍ରମକୁ ବିଜେପି ଓ ଆରଏସଏସ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ କାର୍ଯ୍ୟକ୍ରମ କରି ସାରିଛନ୍ତି । ଯେଉଁଥିପାଇଁ କଂଗ୍ରେସ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ କହିଥିଲେ । ହିନ୍ଦୁ ଧର୍ମର ବଡ ସନ୍ଥ ମଧ୍ୟ ଏହାକୁ ରାଜନୈତିକ କାର୍ଯ୍ୟକ୍ରମ ବୋଲି ଅଭିହିତ କରି ସାରିଛନ୍ତି ।

କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାକୁ ନେଇ ରାହୁଲ କହିଛନ୍ତି ସାମାଜିକ ନ୍ୟାୟ, ଆର୍ଥିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ପ୍ରସଙ୍ଗ ଉଠାଇବା ଏହି ଯାତ୍ରାର ମୂଳଲକ୍ଷ୍ୟ । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇଥିଲା କାରଣ ମଣିପୁର ସହ ଘୋର ଅନ୍ୟାୟ ହୋଇଛି । ଏହା ପ୍ରଥମ ଥର ପାଇଁ ହେଲା ଯେବେ ଭାରତର ଏକ ରାଜ୍ୟରେ ମାସ ମାସ ଧରି ହିଂସା ଦେଖିବାକୁ ମିଳିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ କିମ୍ବା ବିଜେପିର କୌଣସି ନେତା ସେଠାକୁ ଗଲେ ନାହିଁ ।