କନକ ବ୍ୟୁରୋ : ଦ୍ୱିତୀୟ ଥର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା ।  ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଓମ୍ ବିର୍ଲାଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ରାହୁଲ ଗାନ୍ଧୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ଓ ବିରୋଧୀ ଦଳ ତରଫରୁ ମୁଁ ଶୁଭେଚ୍ଛା ଜଣାଇଛି । ଏହି ସଦନ ଭାରତର ଲୋକଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରୁଛି ଏବଂ ଆପଣ ସେହି ସ୍ୱରର ଶେଷ ନିର୍ଣ୍ଣାୟକ ବ୍ୟକ୍ତି । ସରକାରଙ୍କ ପାଖରେ ରାଜନୈତିକ ଶକ୍ତି ଅଛି କିନ୍ତୁ ବିରୋଧୀ ବି ଭାରତୀୟ ଲୋକଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି । ଚଳିତଥର ବିରୋଧୀ ଦଳ ପୂର୍ବ ଥର ଅପେକ୍ଷା ଭାରତୀୟ ଲୋକଙ୍କ ସ୍ୱରକୁ ଅଧିକ ମାତ୍ରାରେ ପ୍ରତିନିଧିତ୍ୱ କରୁଛନ୍ତି ।

Advertisment

ରାହୁଲ କହିଛନ୍ତି, ଗୃହ ଠିକ୍ ଢଙ୍ଗରେ ଚାଲୁ ଏଥିପାଇଁ ବିରୋଧୀ ଦଳ ଆପଣଙ୍କୁ କାମରେ ସହାୟତା କରିବ । ବିଶ୍ୱାସ ଆଧାରରେ ସହଯୋଗ କରାଯାଉ ଏହା ବେଶ ଗୁରୁତ୍ୱପୂର୍ଣ୍ଣ । ବିରୋଧୀଙ୍କ ସ୍ୱରକୁ ଏହି ଗୃହରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦିଆଯାଉ ଏହା ବେଶ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଭାରତର ସମ୍ବିଧାନକୁ ରକ୍ଷା କରିବାର କର୍ତ୍ତବ୍ୟ ତୁଲାଇପାରିବେ ।

ସେହିଭଳି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଯେଉଁ ପଦରେ ଆପଣ ବସିଛନ୍ତି ତାହା ବେଶ ଗୌରବଶାଳୀ ପରମ୍ପରା ସହ ଜଡିତ । ବିନା ଭେଦଭାବରେ ଗୃହକାର୍ଯ୍ୟ ଆଗକୁ ବଢିବ ଏହା ଆମର ଇଚ୍ଛା । ଲୋକସଭାର ଅଧ୍ୟକ୍ଷ ଭାବେ ଆପଣ ପ୍ରତି ଦଳ ଓ ସାଂସଦଙ୍କୁ ସମାନ ସୁଯୋଗ ଓ ସମ୍ମାନ ପ୍ରଦାନ କରିବେ । କୌଣସି ଜନପ୍ରତିନିଧିଙ୍କ ସ୍ୱରକୁ ଯେପରି ଚାପି ଦିଆନଯାଉ ଏବଂ ବହିଷ୍କାର ଭଳି କାର୍ଯ୍ୟାନୁଷ୍ଠାନ ନ ହେଉ ଯାହା ଗୃହର ଗାରିମାକୁ ନଷ୍ଟ କରିବ ।