ଦସ୍ତଖତ ନେଇ ପହଞ୍ଚିଲା ହାତ… ନୂଆ କୃଷି ଆଇନ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ । ୨ କୋଟି ଚାଷୀଙ୍କ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କଲେ ରାହୁଲ ।

247

କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ୨୯ଦିନରେ ପହଂଚିଥିବା ବେଳେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ନେତୃତ୍ୱ । ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ରାଷ୍ଟ୍ରପତିଙ୍କୁ ୨ କୋଟି ଚାଷୀଙ୍କ ଦସ୍ତଖତ ଥିବା ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଇନକୁ ପ୍ରତ୍ୟାହାର କରିବା ସହ ସରକାର ସଂସଦର ଯୁଗ୍ମ ଅଧିବେଶନ ଡାକନ୍ତୁ ଓ ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ତେବେ କଂଗ୍ରେସ ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା କରୁଥିବା ବେଳେ ଅଧ ବାଟରେ ଅଟକାଇଥିଲା ପୋଲିସ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅନ୍ୟ କର୍ମୀଙ୍କ ସହ ଅଟକ ରଖାଯାଇଥିଲା । ତେବେ କୃଷି ଆଇନ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରିୟଙ୍କା । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀଙ୍କ କଥା ବୁଝିବାକୁ ଚାହୁଁ ନାହିଁ । ଏହାସହ ଗଣତାନ୍ତ୍ରିକ ଉପାୟରେ କଂଗ୍ରେସ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯିବା ବେଳେ ପୁଲିସ୍ କାହିଁକି ଅଟକାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ଆନ୍ଦୋଳନକାରୀ ଚାଷୀଙ୍କୁ ପୁଣି ଏକ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆଗାମୀ ଆଲୋଚନା ପାଇଁ ତାରିଖ ଓ ସମୟ ସ୍ଥିର କରିବାକୁ ଏଥିରେ ଚାଷୀମାନଙ୍କୁ କୁହାଯାଇଛି । ଏହାସହ ଚାଷୀଙ୍କ ସମସ୍ୟା ସମାଧାନ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ ଉଲ୍ଳେଖ ରହିଛି । ରାଜଧାନୀ ଦିଲ୍ଲୀରେ ୨୯ ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁ । ଏହାରି ଭିତରେ ପୁଣି ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ଏସବୁ ଭିତରେ ଆସନ୍ତାକାଲି ୬ଟି ରାଜ୍ୟର ଚାଷୀଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ ।