ଖୁବଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ କିଶୋର । ବରିଷ୍ଠ ନେତାଙ୍କ ସହ ଆଲୋଚନା ଜାରି ରଖିଛନ୍ତି ରାହୁଲ ଗାନ୍ଧୀ

180

କନକ ବ୍ୟରୋ : ୨୦୨୪ ନିର୍ବାଚନକୁ ନେଇ କଂଗ୍ରେସ ବ୍ୟାପକ ସ୍ତରରେ ମନ୍ଥନ ଜାରି ରଖିଛି । ଏହି କ୍ରମରେ ଏବେ ଏବେ ରାହୁଲ ଗାନ୍ଧୀ ପାର୍ଟିର ବରିଷ୍ଠ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଯେଉଁଥିରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରିବା ନେଇ ଆଲୋଚନା ହୋଇଥିବା କୁହାଯାଇଛି ।

ଏହି ବୈଠକ ଜୁଲାଇ ୨୨ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିଲା । ଏହି ବୈଠକରେ କମଲନାଥ, ମଲ୍ଲିକାର୍ଜୁନ ଖଡଗେ, ଏ.କେ ଆଣ୍ଟୋନୀ, ଅଜୟ ମାକେନ, ଆନନ୍ଦ ଶର୍ମା, ହରିଶ ରାୱତ, ଅମ୍ବିକା ସୋନୀ ଓ କେ.ସି ବେଣୁଗୋପାଳଙ୍କ ଭଳି ପାର୍ଟିର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଏହି ବୈଠକରେ ରାହୁଲ ଗାନ୍ଧୀ  ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସ୍ଥାନ ପାଇଥିଲା  ।
ବିଶେସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ନେଇ ଚୁଡାନ୍ତ ହୋଇଛି, ହେଲେ ଦଳରେ ତାଙ୍କୁ କେଉଁ ପଦବୀ ମିଳିବ ସେ ନେଇ ସ୍ପଷ୍ଟ ହୋଇପାରି ନାହିଁ । ଜୁଲାଇ ୨୨ ରେ ହୋଇଥିବା ବୈଠକରେ ଯୋଗଦେଇଥିବା ଅନ୍ୟଜଣେ ନେତା କହିଛନ୍ତି କି ଏବେ ସମୟ ଆସିଛି ନୂଆ ରଣନୀତି ଓ ସମିକରଣକୁ ନେଇ ଦଳ ଭୋଟର ମାନଙ୍କ ପାଖରେ ପହଂଚିବା ଦରକାର । ଏସବୁକୁ ନଜର କଲେ ପ୍ରଶାନ୍ତ କିଶୋର ଦଳ ପାଇଁ ନିଶ୍ଚିନ୍ତ ଭାବେ ଲାଭକାରୀ ହେବେ ।

ଏଭଳି ଆଲୋଚନା ଭିତରେ ନା କଂଗ୍ରେସ ପାର୍ଟି ନା ପ୍ରଶାନ୍ତ କିଶୋର ଗଣମାଧ୍ୟମ ଆଗରେ କିଛି କହି ନାହାନ୍ତି । କିନ୍ତୁ ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ବିଜୟ ପରେ ପ୍ରଶାନ୍ତ କିଶୋର ଜାତୀୟ ରାଜନୀତିରେ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି । କିଛିଦିନ ପୂର୍ବରୁ ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ । ଏହି ବୈଠକରେ ୨୦୨୪ ରେ କଂଗ୍ରେସକୁ କିଭଳି ମଜଭୁତ କରାଯିବ ତା ଉପରେ ଆଲୋଚନା ହୋଇଥିଲା ।